ଅବହେଳିତ କେନ୍ଦୁଝର, ଅବିକଶିତ ଜୁଆଙ୍ଗ ଜନଜାତି, ଜୀବନଜୀବିକା ପାଇଁ କଣ ନକରେ ପରିସ୍ଥିତି!
ଅବହେଳିତ କେନ୍ଦୁଝର, ଅବିକଶିତ ଜୁଆଙ୍ଗ ଜନଜାତି, ଜୀବନଜୀବିକା ପାଇଁ କଣ ନକରେ ପରିସ୍ଥିତି!
*ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଳା କେନ୍ଦୁଝରରେ ଜୁଆଙ୍ଗ ବିକାଶର ବିକଳ ଚିତ୍ର*
*୨୦୨୬ +୨ ପରୀକ୍ଷାରେ ୮୩ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ହୋଟେଲରେ ବାସନ ମାଜୁଛି ମେଧାବୀ ଜୁଆଙ୍ଗ ଛାତ୍ର
କେନ୍ଦୁଝର:୦୧/୦୬ (ଖଣ୍ଡାଧାର ନିଉଜ) ବଣ ଜଙ୍ଗଲ ପରିବେଷ୍ଟିତ ଜନଜାତି ବହୁଳ ଜିଲ୍ଲା ଭାଵେ କେନ୍ଦୁଝର ଜିଲ୍ଲାର ସ୍ବତନ୍ତ୍ର ପରିଚୟ ରହିଥିଵା ବେଳେ ଜିଲ୍ଲାରେ ବହୁ ଶ୍ରେଣୀର ଜନଜାତି ସମ୍ପ୍ରଦାୟ ବାସ କରନ୍ତି। ସେହି ସବୁ ଜନଜାତି ଶ୍ରେଣୀ ଅନ୍ଯ ଜିଲ୍ଲା ତଥା ରାଜ୍ୟରେ ବସବାସ କରୁଥିବା ବେଳେ ପୃଥିବୀର ବିରଳ ଜନଜାତି ଜୁଆଙ୍ଗ ଶ୍ରେଣୀର ଲୋକମାନେ ମୂଳତଃ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଗୋନାସିକା ପାର୍ବତ୍ୟାଞ୍ଚଳରେ ବସବାସ କରିଥାନ୍ତି। ଏହି ଜନଜାତି ଶ୍ରେଣୀ ପୃଥିବୀର ଅନ୍ୟ କୌଣସି ସ୍ଥାନରେ ଥିବାର ଦେଖାଯାଏ ନାହିଁ। ଅବଶ୍ୟ କେନ୍ଦୁଝର ଜିଲ୍ଲାର ଗୋନାସିକା ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ବିରଳ ଜୁଆଙ୍ଗ ଜନଜାତି ବର୍ତ୍ତମାନ ପରିବ୍ୟାପ୍ତ ହୋଇ ଅନୁଗୁଳ ଜିଲ୍ଲାର ପାଲଲହଡ଼ା ଏବଂ ଢେଙ୍କାନାଳ ଜିଲ୍ଲାର ସମତଳ ଅଞ୍ଚଳରେ ବସବାସ କରୁଛନ୍ତି।
ସେହି ବିରଳ ଜନଜାତି ଜୁଆଙ୍ଗ ଶ୍ରେଣୀକୁ ସରକାର ଵିଶେଷ ଭାଵରେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ଭାବେ ସ୍ୱୀକୃତି ପ୍ରଦାନ କରି ସେମାନଙ୍କର ବିକାଶ, ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ତରରେ ସ୍ୱାବଲମ୍ବୀ କରିବା ପାଇଁ ଏବଂ ସେମାନଙ୍କର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ସଂରକ୍ଷଣ କରିବା ଲକ୍ଷରେ ୧୯୭୮ ମସିହାରେ ଜୁଆଙ୍ଗ ଉନ୍ନୟନ ସଂସ୍ଥା ବା ଜୁଆଙ୍ଗ ଡେଭଲପମେଣ୍ଟ ଏଜେନ୍ସୀ (ଜେଡିଏ) ନାମକ କ୍ଷୁଦ୍ର-ପ୍ରକଳ୍ପ ଗଠନ କରିଥିଲେ। କିନ୍ତୁ ସେହି ଜେଡ଼ିଏ ସଂସ୍ଥାର ଅପରିଣାମଦର୍ଶିତା କାରଣରୁ ବିରଳ ଜନଜାତି ଜୁଆଙ୍ଗ ମାନେ ଆଜି ମଧ୍ୟ ଅବହେଳିତ ହୋଇ ରହିଥିଵା ଦେଖା ଯାଇଛି।
ସେହିଭଳି ଏକ ଅଭାବନୀୟ ଏଵଂ ଲଜ୍ଜ୍ୟାଜନକ ଦୃଶ୍ୟ ଦେଖିବାକୁ ମିଳିଛି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଜିଲ୍ଳା କେନ୍ଦୁଝରର ଗୋନାସିକା ପାର୍ବତ୍ୟାଞ୍ଚଳର ଜୁଆଙ୍ଗ ବସ୍ତିରେ। ଚଳିତ ୨୦୨୬ ବର୍ଷ +୨ କଳା ପରୀକ୍ଷାରେ ଶତକଡା ୮୩ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଜୁଆଙ୍ଗ ଛାତ୍ର ପରିବାରର ଆର୍ଥିକ ତାଡନାରେ ହୋଟେଲରେ ବାସନ ମାଜୁଛି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ପଣ୍ଡାପଡ଼ା ଥାନା ବାରହାଗଡ଼ ପଞ୍ଚାୟତ ନଡ଼ାମ ଗ୍ରାମରୁ ଆସିଛି ଜୁଆଙ୍ଗ ଉନ୍ନୟନର ଏହି ବିକଳ ଚିତ୍ର। ଗ୍ରାମର କୀର୍ତ୍ତନ ଜୁଆଙ୍ଗ ଏବଂ ଗୋଲାପ ଜୁଆଙ୍ଗଙ୍କ ତିନି ପୁଅ ମଧ୍ୟରୁ ବୈଲଚୋନ ଜୁଆଙ୍ଗ ହେଉଛି ବଡ଼ ପୁଅ। ସେ ୨୦୨୪ ମସିହାରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇଥିଲେ ମଧ୍ଯ ପିତା କୀର୍ତ୍ତନ ଜୁଆଙ୍ଗ ଦାରିଦ୍ର୍ୟ ଏଵଂ ଆର୍ଥିକ ଅନାଟନ କାରଣରୁ ପୁଅକୁ କଲେଜରେ ପାଠ ପଢ଼ାଇବାକୁ ଅକ୍ଷମତା ପ୍ରକାଶ କରିଥିଲେ। ବୈଲୋଚନ ମନ ମାରି ଘରେ ବସି ରହିଥିଲା। ଏହି ଖବର ପଡିଲା କେନ୍ଦୁଝର ସଦର ବ୍ଲକ ଶୁଆକାଟିସ୍ଥିତ ପାଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ସ୍ୱାଇଁଙ୍କ କାନରେ। ଏହି ଖବର ପାଇବା ପରେ ଗରୀବ ଅସହାୟ ଜନଜାତି ଛାତ୍ର ଛାତ୍ରୀଙ୍କ ଉନ୍ନତି ପାଇଁ ସଦା ଚେଷ୍ଟିତ ଶ୍ରୀ ସ୍ୱାଇଁ ଆଉ ସ୍ଥିର ହୋଇ ରହି ପାରିଲେନି। ସେ ପହଞ୍ଚିଲେ ବୈଲୋଚନ ଜୁଆଙ୍ଗର ଘରେ। ପରିବାର ଲୋକଙ୍କ ସହ ଆଲୋଚନା କରି ପାଠ ପଢିବାକୁ ସମସ୍ତ ସାହାଯ୍ୟର ପ୍ରତିଶ୍ରୁତି ଦେଇ ବୈଲୋଚନକୁ ଆଣି ନିଜ ବିଦ୍ଯାଳୟରେ +୨ ଶ୍ରେଣୀରେ ନାମ ଲେଖାଇ ହଷ୍ଟେଲରେ ରଖି ପାଠ ପଢାଇଲେ। ମେଧାବୀ ବୈଲୋଚନ ଅଧ୍ୟକ୍ଷ ଶ୍ରୀ ସ୍ବାଇଁଙ୍କ ସାହାଯ୍ୟର ମୁଲ୍ୟ ଦେବାକୁ ୨୦୨୬ +୨ କଳା ପରୀକ୍ଷାରେ ଶତକଡା ୮୩ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ଗୁରୁ ୠଣ ପରିଶୋଧ କଲା। ଏହାପରେ ବୈଲୋଚନ ଉଚ୍ଚ ଶିକ୍ଷା ପାଇଁ ମନ ବଳାଇଥିଲେ ମଧ୍ଯ ପରିବାରର ଆର୍ଥିକ ତାଡ଼ନା କାରଣରୁ ଏକ ହୋଟେଲରେ ରହି ବାସନ ମାଜୁଛି।
ଏହା ହେଉଛି ଜନଜାତି ବହୁଳ କେନ୍ଦୁଝର ଜିଲ୍ଲାରେ ଜୁଆଙ୍ଗ ଉନ୍ନୟନର ଅସଲ ଚିତ୍ର। ସରକାର ଏହି ବିରଳ ଜନଜାତି ଜୁଆଙ୍ଗ ମାନଙ୍କ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ଯ ତା'ର ସୁଫଳ ମିଳୁନାହିଁ ଜୁଆଙ୍ଗ ମାନଙ୍କୁ। ସରକାରଙ୍କ ରାଜକୋଷରୁ ଅର୍ଥ ବ୍ୟୟ ହୋଇ କାଗଜ କଲମରେ ଜୁଆଙ୍ଗ ଉନ୍ନୟନ ହେଉଛି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ!
ଖଣ୍ଡାଧାର ନିଉଜ- ଉପସ୍ଥାପନା: ସାମ୍ବାଦିକ ଦିଲ୍ଲିପ କୁମାର ସାହୁ।