logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ୩୦ ମେରୁ ଆରମ୍ଭ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ

ମାଲକାନଗିରିରେ ୩୦ ମେରୁ ଆରମ୍ଭ ହେବ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନ
ମାଲକାନଗିରି(୨୯/୫)- ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଧ୍ୟତନ କରିବା ଉଦ୍ଦେଶ୍ୟରେ ଆସନ୍ତା ୩୦ ମେ ଠାରୁ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ, ଭୋଟର ତାଲିକାରେ ନୂତନ ନାମ ସଂଯୋଜନ ପାଇଁ ୦୧.୦୭.୨୦୨୬କୁ ଯୋଗ୍ୟତା ତାରିଖ ଭାବେ ନିର୍ଦ୍ଧାରଣ କରାଯାଇଛି।
ଜିଲ୍ଲାପାଳ ଶ୍ରୀ ରାଜଶିର୍କେ କହିଥିଲେ ଯେ, ସୁଦୃଢ଼ ଗଣତନ୍ତ୍ର ପାଇଁ ସଠିକ ଓ ନିର୍ଭୁଳ ଭୋଟର ତାଲିକା ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ ବୁଥ ସ୍ତରୀୟ ଅଧିକାରୀ(ବିଏଲଓ)ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ। ଜିଲ୍ଲାର କୌଣସି ଯୋଗ୍ୟ ଭୋଟର ଯେପରି ଏହି ପ୍ରକ୍ରିୟାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଥିଲେ। ବିଏଲଓମାନଙ୍କୁ ଆବଶ୍ୟକ ସହଯୋଗ ଓ ସଠିକ ତଥ୍ୟ ଯୋଗାଇ ଏହି ଅଭିଯାନକୁ ସଫଳ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।
ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସମୁଦାୟ ୫୪୯ ଜଣ ବିଏଲଓ ୩୦.୦୫.୨୦୨୬ ରୁ ୨୮.୦୬.୨୦୨୬ ପର୍ଯ୍ୟନ୍ତ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ସେଥିମଧ୍ୟରୁ ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ୩୦୨ ଜଣ ଏବଂ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ ୨୪୭ ଜଣ ବିଏଲଓ କାର୍ଯ୍ୟରତ ରହିବେ। ସେମାନେ ମାଲକାନଗିରିର ୨,୫୨,୬୯୧ ଏବଂ ଚିତ୍ରକୋଣ୍ଡାର ୨,୦୯,୪୮୦ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରିବା ସହ ଫର୍ମ ପୂରଣରେ ସହାୟତା କରିବେ।
ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ମାଲକାନଗିରିର ୨,୩୬,୦୭୮ ଜଣ ଭୋଟରଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକା ସହ ମ୍ୟାପିଂ କରାଯାଇଥିବାବେଳେ ଚିତ୍ରକୋଣ୍ଡାର ୧,୯୯,୭୩୧ ଜଣ ଭୋଟରଙ୍କ ନାମ ମ୍ୟାପିଂ ହୋଇସାରିଛି। ଅବଶିଷ୍ଟ ଭୋଟରମାନେ ପରିଗଣନା ଫର୍ମ ସହ ଆବଶ୍ୟକ ଦସ୍ତାବିଜ ବିଏଲଓଙ୍କୁ ହସ୍ତାନ୍ତର କରିବେ।
ଏହି କାର୍ଯ୍ୟସୂଚୀ ଅନୁଯାୟୀ ୦୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ୦୫ ଜୁଲାଇରୁ ୦୪ ଅଗଷ୍ଟ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯିବା ସହ ୦୨ ସେପ୍ଟେମ୍ବର ମଧ୍ୟରେ ଏହାର ନିଷ୍ପତ୍ତି ନିଆଯିବ। ଶେଷରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ସହାୟକ ଜିଲ୍ଲାପାଳ ଅଶୋକ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ।

1
36 views

Comment