ଓସିଏସ୍ ରେ ପ୍ରଭାସିନୀ ନାୟକଙ୍କ ସଫଳତା - ଗରିବଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବି : ପ୍ରଭାସିନୀ
ଓସିଏସ୍ ରେ ପ୍ରଭାସିନୀ ନାୟକଙ୍କ ସଫଳତା - ଗରିବଲୋକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବି : ପ୍ରଭାସିନୀ
ଚମ୍ପୁଆ -୨୮/୦୫(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମ ପଞ୍ଚାୟତର ରଙ୍ଗାମାଟିଆ ଗ୍ରାମର ଅବସରପ୍ରାପ୍ତ(ଜବାନ୍) ଶ୍ରୀଯୁକ୍ତ ପବିତ୍ର ମୋହନ ନାୟକ ଓ ଶ୍ରୀମତୀ ଭାନୁମତୀ ନାୟକଙ୍କ ଝିଅ ପ୍ରଭାସିନୀ ନାୟକ ଓଡ଼ିଶା ଲୋକସେବା ଆୟୋଗ ପରିକ୍ଷାରେ ସଫଳତାର ସହ ୧୩୩ତମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି । ସେ ଭୁବନେଶ୍ୱର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ୟୁନିଟ୍ -୪ରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଠପଢ଼ି ଶ୍ରେଣୀରେ ସର୍ବଦା ପ୍ରଥମ ସ୍ଥାନ ହାସଲ କରୁଥିଲେ । ଏହାପରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ, ଭୁବନେଶ୍ୱରରେ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କଲା ପରେ ଓ.ୟୁ.ଏ.ଟି. ଭୁବନେଶ୍ୱରରେ ପଶୁ ବା ପ୍ରାଣୀ ଚିକିତ୍ସା ବିଭାଗରେ ପାଠପଢ଼ି ୨୦୨୧ ମସିହାରେ ସଫଳତାର ସହ ପାସ୍ କରି ଜଣେ ମେଧାବୀ ଛାତ୍ରୀର ପରିଚୟ ପ୍ରଦାନ କରିଥିଲେ । ଏହା ପରେ ୨୦୨୩ ମସିହାରେ ଓ.ପି.ଏସ.ସି ଦ୍ଵାରା ବିଧିବଦ୍ଧ ଭାବେ ଚୟନ ହୋଇ ମୟୂରଭଞ୍ଜର ବହଳଦାରେ ଅତିରିକ୍ତ ପ୍ରାଣୀ ଚିକିତ୍ସକ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । କାର୍ଯ୍ୟାଳୟର କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଦୈନିକ ୬ ରୁ ୭ ଘଣ୍ଟା ପରିଶ୍ରମ କରୁଥିବା କହିଛନ୍ତି । ଉତ୍ତୀର୍ଣ୍ଣ ପରିପ୍ରେକ୍ଷୀରେ, ମୁଖ୍ୟ ସ୍ରୋତରେ ସାମିଲ୍ ହୋଇପାରୁ ନ ଥିବା ଗରିବ ଲୋକଙ୍କ ପାଇଁ କାମ କରିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବି । କେବଳ ସେତିକି ନୁହେଁ ଏ ସବୁକୁ ଫଳପ୍ରଦ କରିବାକୁ ହେଲେ ମୁଁ କେବେ ବାବୁ ପଣିଆ ଦେଖେଇବି ନାହିଁ ବୋଲି କହିଥିଲେ । ଆଗାମୀ ପିଢ଼ିର ଆଶାୟୀ ପ୍ରାର୍ଥୀଙ୍କୁ ଲକ୍ଷ୍ୟକୁ ସ୍ଥିର କରିବା ସହ ଏକାଗ୍ରତା ଓ କଠିନ ଅଧ୍ୟବସାୟ କଲେ ସଫଳତାର ସ୍ୱାଦ ନିଶ୍ଚିତ ଚାଖିପାରିବେ ବୋଲି ପ୍ରଭାସିନୀ ପରାମର୍ଶ ଦେଇଥିଲେ । ଏହି ସଫଳତାର ଶ୍ରେୟ ପ୍ରଥମେ ନିଜ ବାପା, ମା ଓ ବଡ଼ବାପା, ବଡ଼ ମା, ଅଜାଆଈ, ମାମୁଁମାଇଁ, ଗୁରୁଜନ, ସାଙ୍ଗସାଥୀଙ୍କ ସହ ଈଶ୍ୱରଙ୍କୁ ପ୍ରଦାନ କରିଛନ୍ତି । ବିଶେଷ ଭାବରେ ଏ ଭଳି କୃତକାର୍ଯ୍ୟ ପାଇଁ ଶୁଭଚିନ୍ତକ ଗ୍ରାମବାସୀ, ଚମ୍ପୁଆ ବ୍ଳକର ବୁଦ୍ଧିଜୀବୀ ଓ ଅଭିଭାବକ, ଜିଲ୍ଲାର ଶୁଭାକାଂକ୍ଷୀ ମାନଙ୍କର ଶୁଭେଚ୍ଛାର ସୁଅ ଛୁଟିଛି ।