logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆ ପ୍ରଶାସନର ନିଦ୍ରାଭଙ୍ଗ ହେବ କେବେ? ଟ୍ୟାକ୍ସ ନେଉଛନ୍ତି, ହେଲେ ମୌଳିକ ସୁବିଧାରୁ ବଞ୍ଚିତ କରୁଛନ୍ତି! ୩ ବର୍ଷ ହେଲା ଖଟରେ ପଡ଼ିଛନ୍ତି ଦିବ୍ୟାଙ୍ଗ ସୁଶାନ୍ତ ।

ଚମ୍ପୁଆ : -ଆମେ ହୋଲ୍ଡିଂ ଟ୍ୟାକ୍ସ ନିୟମିତ ଦେବୁ, ହେଲେ ଆମକୁ ଭତ୍ତା କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିବ ନାହିଁ କାହିଁକି? ଏମିତି କିଛି କୋହଭରା ପ୍ରଶ୍ନ କରି ଚମ୍ପୁଆ ଏନଏସି ପ୍ରଶାସନ ବିରୋଧରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଜନସାଧାରଣଙ୍କ ସେବା ପାଇଁ ଉଦ୍ଦିଷ୍ଟ ଥିବା ସରକାରୀ ବାବୁମାନେ ଜନତାଙ୍କ ଦୁଃଖ ବୁଝିବା ପରିବର୍ତ୍ତେ କେଉଁଠି ନା କେଉଁଠି ନିଘୋଡ଼ ନିଦରେ ଶୋଇଯାଇଥିବା ଭଳି ମନେହେଉଛି।
ଏହାର ସବୁଠାରୁ ବଡ଼ ଏବଂ ଦୁଃଖଦ ଉଦାହରଣ ଦେଖିବାକୁ ମିଳିଛି ଚମ୍ପୁଆ ଏନଏସି ଅନ୍ତର୍ଗତ ଭାଲିଆଡିପା (ଗୋଧୂଳି) ଅଞ୍ଚଳରେ। ଆଜକୁ ପ୍ରାୟ ୩ ବର୍ଷ ତଳେ, ଭାଲିଆଡିପାର ସୁଶାନ୍ତ ନାଏକ ନିଜ ଅଞ୍ଚଳ ପାଖ ରରୁଆଁକୁ 'ପଣାସଂକ୍ରାନ୍ତି ଉଡ଼ାଯାତ୍ରା' ଦେଖିବାକୁ ଯାଇଥିଲେ। କିନ୍ତୁ ସେ ଜାଣିନଥିଲେ ଯେ ସେହି ଯାତ୍ରା ତାଙ୍କ ଜୀବନର ସବୁଠାରୁ ବଡ଼ କାଳରାତ୍ରି ସାଜିବ। ଯାତ୍ରାରେ ପ୍ରବଳ ଭିଡ଼ ଯୋଗୁଁ ହଠାତ ସୁଶାନ୍ତଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଜନସମୁଦ୍ରର ପ୍ରବଳ ଭିଡ଼ ଭିତରେ ଲୋକେ ତାଙ୍କ ଉପରେ ମାଡ଼ି ଚାଲିଯାଇଥିଲେ। ସେହି ଦୁର୍ଘଟଣାରେ ସୁଶାନ୍ତଙ୍କ ଦୁଇଟିଯାକ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗିଗଲା। କଟକ ବଡ଼ ମେଡିକାଲ ଯାଇ ବହୁ ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ନିରାଶ ହୋଇ ସେ ଘରକୁ ଫେରିଆସିଲେ ଏବଂ ସେହି ଦିନଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ।ସୁଶାନ୍ତଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଏବଂ ଦୁଇଟି ଛୋଟ ଛୁଆ। ସ୍ୱାମୀ ଖଟରୁ ଉଠିପାରୁନାହାନ୍ତି, ତେଣୁ ତାଙ୍କର ସେବାଶୁଶ୍ରୂଷା ଓ ଦୁଇଟି ଛୋଟ ଛୁଆଙ୍କୁ ସମ୍ଭାଳିବା ପାଇଁ ସ୍ତ୍ରୀ ମୂଲ-ମଜୁରୀ କରିବାକୁ ମଧ୍ୟ ବାହାରକୁ ଯାଇପାରୁନାହାନ୍ତି। ରୋଜଗାର ଶୂନ୍ୟ ହୋଇଯାଇଥିବା ବେଳେ ପରିବାରଟି ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗତି କରୁଛି। ବଡ଼ ପରିତାପର ବିଷୟ ଯେ, ବିଗତ ୩ ବର୍ଷ ହେବ ସୁଶାନ୍ତ ଏଭଳି ଗୁରୁତର ଅବସ୍ଥାରେ ଥିଲେ ସୁଦ୍ଧା ଚମ୍ପୁଆ ଏନଏସି ପ୍ରଶାସନର କୌଣସି ଅଧିକାରୀ ତାଙ୍କ ଦୁଃଖ ବୁଝିବାକୁ ସେଠାରେ ପହଞ୍ଚିନାହାନ୍ତି। ଏପରିକି ତାଙ୍କ ପାଇଁ ଏପର୍ଯ୍ୟନ୍ତ ଏକ ଦିବ୍ୟାଙ୍ଗ ଭତ୍ତା କିମ୍ବା ମୌଳିକ ସରକାରୀ ସାହାଯ୍ୟ ମଧ୍ୟ ମିଳିପାରି ନାହିଁ। ଯଦି ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ତାଙ୍କର ଏକ ସରକାରୀ ଭତ୍ତା ବ୍ୟବସ୍ଥା କରାଯାନ୍ତା, ତେବେ ଏହି ଗରିବ ପରିବାରଟି ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଆନ୍ତା। ଚମ୍ପୁଆ ଏନଏସିର ସରକାରୀ ବାବୁମାନଙ୍କର ଏଭଳି ସମ୍ବେଦନହୀନତା ଏବଂ ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେବଳ ଟ୍ୟାକ୍ସ ଆଦାୟ କରିବା ସରକାରଙ୍କ କାମ ନୁହେଁ, ଗରିବ ଓ ଅସହାୟ ଲୋକଙ୍କୁ ନ୍ୟାୟ ଦେବା ମଧ୍ୟ ପ୍ରଶାସନର କର୍ତ୍ତବ୍ୟ। ତେଣୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ନିକଟରେ ଚମ୍ପୁଆବାସୀ ଅନୁରୋଧ କରୁଛନ୍ତି ଯେ, ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରାଯାଉ। ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଶଯ୍ୟାଶାୟୀ ସୁଶାନ୍ତ ନାଏକଙ୍କୁ ତୁରନ୍ତ ସରକାରୀ ଭତ୍ତା, ଚିକିତ୍ସା ସହାୟତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ।

24
1734 views

Comment