କାଳବୈଶାଖୀ ତାଣ୍ଡବ: ସାହାରପଡାରେ କୀର୍ତ୍ତନ ମଣ୍ଡପ ସହ ୩ ପରିବାରର ଘର ଚୂରମାର, ଅଳ୍ପକେ ବର୍ତ୍ତିଲା ଶିଶୁ, ସ୍ଥିତି ସମୀକ୍ଷା କଲେ ବିଧାୟକ
କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକର ମାଛଗଡ ପଞ୍ଚାୟତରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଗତ ୨୫/୦୫ (ସୋମବାର) ଅପରାହ୍ନ ପ୍ରାୟ ୩ଟା ସମୟରେ ହଠାତ୍ ଆସିଥିବା କାଳବୈଶାଖୀ ବର୍ଷା ଓ ଭୟଙ୍କର ଘୂର୍ଣ୍ଣିଝଡ଼ ଯୋଗୁଁ କମାରମରା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଗ୍ରାମର ସାଂସ୍କୃତିକ ପ୍ରାଣକେନ୍ଦ୍ର କୁହାଯାଉଥିବା କୀର୍ତ୍ତନ ମଣ୍ଡପ ସମେତ କେତେକ ଗରିବ ପରିବାରର ବାସଗୃହ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଝଡ଼ର ବେଗ ଏତେ ପ୍ରବଳ ଥିଲା ଯେ ଗ୍ରାମର କୀର୍ତ୍ତନ ମଣ୍ଡପ ଉପରେ ଏକ ବିଶାଳକାୟ ମହୁଲ ଗଛ ଉପୁଡ଼ି ପଡ଼ିଥିଲା। ଫଳରେ ମଣ୍ଡପଟି ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। କେବଳ ସେତିକି ନୁହେଁ, ସେହି ଗଛଟି ସୁନାଫୁଲ ଓ ମଙ୍ଗୁଦାସଙ୍କ ତିନି ବଖରା ଖପରଘର ଉପରେ ମଧ୍ୟ ପଡ଼ିଯିବାରୁ ସେମାନଙ୍କର ଘରଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନୁରୂପ ଭାବେ, ଗ୍ରାମର ଅନ୍ୟ ଏକ ସ୍ଥାନରେ ଆଉ ଏକ ବିରାଟ ମହୁଲ ଗଛ ଉପୁଡ଼ି ବାଇଧର ମହାନ୍ତଙ୍କ ପୁତ୍ର ସଞ୍ଚୟ ମହାନ୍ତଙ୍କ ତିନି ବଖରା ଟାଇଲ୍ ଘର ଉପରେ କ୍ରାସ୍ କରିଥିଲା। ଏହି ଦୁର୍ଘଟଣାରେ ସଞ୍ଚୟଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଏହି ଭୟଙ୍କର ବିପତ୍ତି ସମୟରେ ଏକ ଚମତ୍କାର ମଧ୍ୟ ଦେଖିବାକୁ ମିଳିଛି। ଘର ଭାଙ୍ଗି ଚୂରମାର ହୋଇଯାଇଥିଲେ ସୁଦ୍ଧା ଘର ଭିତରେ ଥିବା ଜଣେ ୨ ବର୍ଷର କୋମଳମତି ଶିଶୁ ଅଲୌକିକ ଓ ସୈାଭାଗ୍ୟ ବସତ ଅଳ୍ପକେ ରକ୍ଷା ପାଇଯାଇଛି। ସୂଚନା ଅନୁଯାୟୀ, ଏହି ପ୍ରାକୃତିକ ବିପର୍ଯ୍ୟୟରେ କୌଣସି ଜୀବନ ହାନି ହୋଇନାହିଁ, ଯାହା ସ୍ଥାନୀୟ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କମାରମରା ଗ୍ରାମରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ସେ କ୍ଷତିଗ୍ରସ୍ତ ପରିବାରବର୍ଗଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ସେମାନଙ୍କୁ ସାନ୍ତ୍ୱନା ଦେବା ସହ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।