ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ: ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ୨ଟି ପଞ୍ଚାୟତବାସୀ
ଚମ୍ପୁଆ : ସରକାର ଗମନାଗମନର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ବାଙ୍କି ସାହି ଠାରୁ ଭୂଇଁପୁର ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ମରଣଯନ୍ତା ପାଲଟିଛି। ଭୂଇଁପୁର ଶାଳ ଜଙ୍ଗଲ, ବାଲିପଶି ଛକ, ରାଉତରାପୁର ଛକଠାରୁ ଆରମ୍ଭ କରି ପଡ଼ୁଆ ହାଇସ୍କୁଲ ଖେଳପଡିଆ ପର୍ଯ୍ୟନ୍ତ ରାସ୍ତାଟିର ଅବସ୍ଥା ଏତେ ଶୋଚନୀୟ ହୋଇପଡ଼ିଛି ଯେ, ଏଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ଏକ ନିତିଦିନିଆ ଘଟଣା ପାଲଟିଛି। ରାସ୍ତାର ପିଚ୍ ସମ୍ପୂର୍ଣ୍ଣ ଉଠିଯାଇ ବଡ଼ ବଡ଼ ତୀକ୍ଷ୍ଣ ପଥର ବାହାରି ପଡ଼ିଛି। ଯାହାଫଳରେ ଗାଡ଼ି ଚଳାଇବା ତ ଦୂରର କଥା, ପାଦରେ ଚାଲିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ପଥର ବାଜି ପ୍ରତିଦିନ ଗାଡ଼ିଗୁଡ଼ିକ ପଞ୍ଚର ହେଉଥିବାରୁ ଏହି ରାସ୍ତାରେ ଯିବାଆସିବା କରିବାକୁ ଲୋକେ ଏବେ ଭୟ କରୁଛନ୍ତି। ଏହି ରାସ୍ତା ଉପରେ ଭଣ୍ଡା ଡାକ୍ତରଖାନା, ଭଣ୍ଡା ବ୍ୟାଙ୍କ, ଭଣ୍ଡା ଲ୍ୟାମ୍ପସ ସମେତ କେନ୍ଦୁଝର, ଚମ୍ପୁଆ, କଟକ ଓ ଭୁବନେଶ୍ୱର ଭଳି ପ୍ରମୁଖ ସହରକୁ ଯାତାୟାତ ପାଇଁ ହଜାର ହଜାର ଲୋକ ନିର୍ଭର କରିଥାନ୍ତି। ମାତ୍ର ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ରୋଗୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ପ୍ରତି ମୁହୂର୍ତ୍ତରେ ଜୀବନକୁ ବାଜି ଲଗାଇ ଯାତ୍ରା କରୁଛନ୍ତି। ଏହି ଜରାଜୀର୍ଣ୍ଣ ରାସ୍ତାକୁ ନେଇ ଭୂଇଁପୁର ଗ୍ରାମ ପଞ୍ଚାୟତ ଏବେଂ ପଡୁଆ ଗ୍ରାମ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ଗୁହାରି ସତ୍ତ୍ୱେ ମଧ୍ୟ ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ ଏଥିପ୍ରତି କୌଣସି କର୍ଣ୍ଣପାତ କରୁନାହାନ୍ତି।
ରାସ୍ତାଟିର ସ୍ଥାୟୀ ନିର୍ମାଣ ନ ହେଲେ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ ହେବ ବୋଲି ଉଭୟ ପଞ୍ଚାୟତର ଜନସାଧାରଣ ଚେତାବନୀ ଦେଇଛନ୍ତି ଓ ଗ୍ରାମବାସୀଙ୍କ କହିବା ଅନୁସାରେ ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କେବେ ନିଦରୁ ଉଠିବେ? କୌଣସି ବଡ଼ ଅଘଟଣ ଘଟିବା ପରେ ସରକାରଙ୍କ ଆଖି ଖୋଲିବ କି? ତୁରନ୍ତ କେନ୍ଦୁଝର ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି ହେଉଛି।