ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ ସ୍ବାଧୀନତା ସଂଗ୍ରାମ ସୈନିକ ସଦନ (୮୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ (୨୩.୫.୨୬)
ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ (୮୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ (୨୩.୫.୨୬)
ଦେଶ ତଥା ଜନ୍ମମାଟିର ସୁରକ୍ଷା ପାଇଁ ଲଢେଇ କରି ଅନେକ ସ୍ବାଧୀନତା ସଂଗ୍ରାମୀ ଜୀବନକୁ ବଳି ଦେଇଛନ୍ତି । ଇଂରେଜ ଶାସନକୁ ପ୍ରତିହତ କରି ଅନ୍ୟମାନଙ୍କ ପାଇଁ ଉଚ୍ଚ ଆଦର୍ଶ ସୃଷ୍ଟି କରିଛନ୍ତି। ହେଲେ ଏମିତି କେତେକ ଆଗଧାଡ଼ିର ସ୍ବାଧୀନତା ସଂଗ୍ରାମୀଙ୍କୁ ଏକଜୁଟ୍ କରିଥିବା ସଂଗଠନ ହେଉଛି ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’। କହିବାକୁ ଗଲେ, ଏହି ସଦନ ପାଲଟିଥିଲା ଅବିଭକ୍ତ ପୁରୀ ଜିଲାର ସ୍ବାଧୀନତା ସଂଗ୍ରାମୀଙ୍କ ଅନ୍ତୁଡ଼ିଶାଳ। ଦେଶ ସ୍ବାଧୀନ ହେବା ପୂର୍ବରୁ ଅର୍ଥାତ୍ ୧୯୪୦ ମସିହାରେ ଅବିଭକ୍ତ ପୁରୀ ଜିଲା (ଏବେ ଖୋରଧା)ର ବାଜପୁର ଗ୍ରାମରେ ପ୍ରତିଷ୍ଠା କରାଯାଇଥିବା ଏହି ସଦନକୁ ଇତିମଧ୍ୟରେ ୮୬ ବର୍ଷ ଅତିକ୍ରାନ୍ତ ହୋଇଛି। ହେଲେ ଏହା ଏବେ ବି ବିଗତ ଦିନର ସେହି ମହାନ୍ ସଂଗ୍ରାମୀଙ୍କ ଉଚ୍ଚ ଆଦର୍ଶରୁ ତିଳେ ମାତ୍ର ବିଚ୍ୟୁତ ନହୋଇ ତା’ର କାର୍ଯ୍ୟଧାରା ଜାରି ରଖିଛି। ଏହାର ସେତେବେଳେ ନେତୃତ୍ବ ନେଇଥିଲେ ବାଜପୁରର ବରପୁତ୍ର ସ୍ବାଧୀନତା ସଂଗ୍ରାମୀ କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ର। ଆଉ ଏହି ସଦନ ଗଢ଼ିବାରେ ତାଙ୍କୁ ‘ନବଜୀବନ’ର ପ୍ରତିଷ୍ଠାତା ଚିନ୍ତାମଣି ମିଶ୍ର, ସଂଗ୍ରାମୀ ବାନାମ୍ବର ପଟ୍ଟନାୟକ, ପଦ୍ମନାଭ ମିଶ୍ର ଓ ନାରାୟଣ ସେଠୀ ପ୍ରମୁଖଙ୍କ ଭଳି ଧୂରୀଣ ବ୍ୟକ୍ତିତ୍ବ ସହଯୋଗର ହାତ ବଢ଼ାଇଥିଲେ।
ମୁକ୍ତିସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ର ମାତ୍ର ୩ ବର୍ଷ ବର୍ଷ ବୟସରେ ପିତା ଦିଗମ୍ବର ମିଶ୍ରଙ୍କୁ ହରାଇ ପିତୃହୀନ ହୋଇଥିଲେ। ପରେ ତାଙ୍କ ବଡ଼ମାମୁଁ ବିଶ୍ବନାଥ ମିଶ୍ରଙ୍କ ପରାମର୍ଶ କ୍ରମେ ୧୯୨୧ରେ ପଞ୍ଚସଖାଙ୍କ ନେତୃତ୍ବରେ ଗଢ଼ି ଉଠିଥିବା ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟରେ ଶିକ୍ଷାଗ୍ରହଣ ପାଇଁ ପାଇଁ ସେ ସାକ୍ଷୀଗୋପାଳ ଅଭିମୁଖେ ଯାଇଥିଲେ। ପ୍ରଥମ ଥର ପାଇଁ ପଞ୍ଚସଖା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ ଓ କୃପାସିନ୍ଧୁ ମିଶ୍ର ପ୍ରମୁଖଙ୍କ ସଂସ୍ପର୍ଶରେ ଆସିବା ପରେ ସ୍ବାଧୀନତାର ମହାମନ୍ତ୍ରରେ ଉଦ୍ଭାସିତ ହୋଇଥିଲେ। ଆଉ ସେହିଠାରୁ ହିଁ ବାନରସେନା ଗଢ଼ିବା ଲାଗି ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ ପ୍ରତିଷ୍ଠା କରିବାର କୋୖଶଳ ଶିଖିଥିଲେ।
୧୯୩୦ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ରାଜ୍ୟର ବିଭିନ୍ନ ଗ୍ରାମରେ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ ପାଇଁ ‘ବାନରସେନା’ ଗଠନ କରାଯାଉଥାଏ। ଆଉ ସେହି ‘ବାନରସେନା’ରେ ସାମିଲ ହେବା ପାଇଁ ସୈନିକ ବା କର୍ମୀ ଯୋଗାଡ଼ କରିବାକୁ ଆହ୍ବାନ ଦିଆଯାଇଥିବାରୁ ବାଜପୁରରେ ଏଥିପାଇଁ ମୂଳଦୁଆ ପକାଇବାକୁ ନିଷ୍ପତ୍ତି ହୋଇଥିଲା। ପାଠପଢ଼ା, ପରିବାର, ଭବିଷ୍ୟତ ଜୀବନର ସୁଖ ସ୍ବାଚ୍ଛନ୍ଦ୍ୟ ଆଦି ପରିତ୍ୟାଗ କରି ଗତିଧାରାରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ଟାଣି ‘ବାନରସେନା’ ପାଇଁ କର୍ମୀ ଯୋଗାଡ଼ କରିବାର ଦୁର୍ବାର ଶପଥ ନିଆଯାଇଥିଲା। ପ୍ରବଳ ପ୍ରତାପୀ ବ୍ରିଟିଶ ଶାସକ ନିଃଶେଷ କରି ଦେଇଥାଏ ଭାରତୀୟ ଜନଜୀବନକୁ। ଅନ୍ୟାୟ, ଅତ୍ୟାଚାର, ଶୋଷଣ ଆଦି ସୀମା ଲଂଘିଥାଏ। କହିବାକୁ ଗଲେ, ନିର୍ବାଣ ଦୀପଶିଖା ଜଳି ଉଠୁଥାଏ। ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିବା ସହ ସୁସ୍ଥ, ସୁନ୍ଦର, ବୃହତ୍ତର ସ୍ୱାଧୀନ ଜୀବନର ଶିଳାନ୍ୟାସ କରିବାକୁ ଅଗ୍ରସର ହେଉଥାନ୍ତି ସଂଗ୍ରାମୀଗଣ। ନବପ୍ରଭାତ ସହ ନୂତନ ଭାଷାର ଅରୁଣିମାକୁ ଅପେକ୍ଷା କରିଥାନ୍ତି ସଭିଏଁ। ଶରୀରରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଚଳାଇବାକୁ ହେବ ଏ ଅସହଯୋଗ ଆନ୍ଦୋଳନ। ତା’ପରେ ଜଣାପଡ଼ିବ, କେତେ ଦିନ ତିଷ୍ଠି ରହିବ ଏ ସାତଦରିଆ ତେର ନଈ ପାରି ହୋଇ ଆସିଥିବା ବେପାରୀ ଶାସକଦଳ।
ସେତେବେଳେ ଅସହଯୋଗ ଆନ୍ଦୋଳନର ନିଶା ସମସ୍ତଙ୍କୁ ଘାରିଥାଏ । ଦିନକର କଥା। ସ୍ବାଧୀନତା ସଂଗ୍ରାମ ସୈନିକ ସଦନର ସଦସ୍ୟମାନେ ରାତି ପାହିବା ପୂର୍ବରୁ କଣାସ ନିକଟବର୍ତ୍ତୀ ଦୟାନଦୀ ନିକଟରେ ପହଞ୍ଚିବାକୁ କୁହାଯାଇଥିଲା। ସେହି କ୍ୟାମ୍ପରୁ ଅସହଯୋଗ ଆନ୍ଦୋଳନର ନୂତନ ପର୍ଯ୍ୟାୟ ଆରମ୍ଭ ହେବ ବୋଲି କୁହାଯାଇଥିଲା। ଆଖିରେ ଆଖିଏ ନିଦ। ଅବଶ ହୋଇପଡ଼ିଲାଣି ସଂଗ୍ରାମୀଙ୍କ ଶରୀର। କାହାର କାହାର ଗୋଡ଼ ଖଣ୍ଡିଆ ହୋଇ ଛୁଟିଲାଣି ରକ୍ତଧାର। ଖୁବ୍ ଦୂରରୁ ଦେଖାଯାଉଛି କଣାସର ନଦୀକୂଳ ବରଗଛ। ସଭା ପାଇଁ ସେଠାରେ ଚାଲିଛି ପ୍ରସ୍ତୁତି। ଲାଠି, ବେଡ଼ିକୁ ଖାତିର ନାହିଁ। ରାତି ଅନିଦ୍ରା ହୋଇ ବହୁ ପଥ ଅତିକ୍ରମ କରି ଆସିଥିବା ୫ଜଣଙ୍କୁ ଦିଆଗଲା ପିକେଟିଂ ଦାୟିତ୍ୱ। ସେହି ନିଃସଙ୍ଗ ବାନର ସେନାର ସେନାପତିତ୍ୱ ଗ୍ରହଣ କରିଥାନ୍ତି ସଦନର ସବଳ, ବପୁବାନ୍, ତେଜସମ୍ପନ୍ନ ସଂଗ୍ରାମୀମାନେ। ଲକ୍ଷ୍ୟ ଥିଲା ପିକେଟିଂ। ଜାତୀୟ ସଙ୍ଗୀତ ଆବୃତ୍ତି ଏବଂ ହସ୍ତଶୋଭିତ ତ୍ରିରଙ୍ଗା ପତାକାର ଲହରୀଳ ନୃତ୍ୟ। ତା’ପରେ କର୍ତ୍ତବ୍ୟନିଷ୍ଠ ବ୍ରିଟିଶ ପୋଲିସ ଏବଂ ବାନରସେନା ଭିତରେ ବେଶ୍ ଉପଭୋଗ୍ୟ ଖଣ୍ଡଯୁଦ୍ଧ। ହାତରେ ବେଡ଼ି, ଅଣ୍ଟାରେ ଦଉଡ଼ି, କଣ୍ଠରେ ଜାତୀୟ ସଙ୍ଗୀତର ଆବୃତ୍ତି। ପତାକାଟା କିନ୍ତୁ ପୋଲିସ ବୁଟ୍ ତଳେ ଛିନ୍ନଭିନ୍ନ ହୋଇ ସୁଦ୍ଧା ଶୋଭା ପାଉଥିଲା ପଣ୍ଡିତ ଶ୍ରୀ ମିଶ୍ରଙ୍କ ମସ୍ତକରେ।
୧୯୩୧ ମସିହାରେ ଅନୁଷ୍ଠିତ ‘ଲବଣ ସତ୍ୟାଗ୍ରହ’ରେ ପଣ୍ଡିତ ମିଶ୍ରଙ୍କ ସମେତ ସଦନର ସଦସ୍ୟମାନେ ସାମିଲ ହୋଇ ଲୁଣ ମାରିବାକୁ ଯାଇଥିବାବେଳେ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାରର ଶିକାର ହୋଇଥିଲେ। ତତଲା ବାଲିରେ ସ୍ଲେଜ ଗାଡ଼ି ଭଳି ଘୋଷରା ଖାଇବାକୁ ପଡ଼ିଥିଲା ସେମାନଙ୍କୁ। ମଝିରେ ମଝିରେ ଦିଆଯାଉଥିଲା ଲାଠି ଓ କୋରଡ଼ାରେ ପ୍ରହାର। ପିଇବାକୁ ପାଣି ବଦଳରେ ଦିଆଯାଉଥିଲା ପରିଶ୍ରା। ପୁଲିସ ଭ୍ୟାନରେ ଆଳୁବସ୍ତା ପରି ଭର୍ତ୍ତି କରି ସଂଗ୍ରାମୀଙ୍କୁ ପ୍ୟାକ କରି ନିଆଯାଉଥିଲା । ପରେ ଭ୍ୟାନ ଛୁଟୁଥିଲା ପୁରୀ ଆଡ଼କୁ। ପୁରୀ ପୋଲିସ ହାଜତରେ ବିନା ଖାଦ୍ୟ ଓ ପାଣିରେ ରହିବାକୁ ପଡ଼ିଲା ସେମାନଙ୍କୁ ସପ୍ତାହକ ପର୍ଯ୍ୟନ୍ତ। ଏହି ସମୟରେ ସଦନର ସଦସ୍ୟମାନେ ମରିବୁ ପଛେ, ହାରିବୁ ନାହିଁ ବୋଲି ଶପଥ ନେଇଥିଲେ। ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ର ପ୍ରେରଣା କ୍ରମେ ଏହାର ସଦସ୍ୟମାନେ ଗଭୀର ଅନୁରକ୍ତି ସହ ଅଭେଦ୍ୟ ମମତା ଏବଂ ଅତୁଟ ସ୍ନେହରେ ସମସ୍ତଙ୍କୁ ବାନ୍ଧି ରଖିଥିଲେ ।
ପ୍ରଖ୍ୟାତ ସ୍ବାଧୀତନା ସଂଗ୍ରାମୀ ଗୋକୁଳମୋହନ ରାୟଚୁଡ଼ାମଣି ଓ କୁନ୍ଦନ ରାମ୍ ପ୍ରମୁଖ ମଧ୍ୟ ସଦନକୁ ସୁଦୃଢ଼ କରିବାକୁ କେତେକାଂଶରେ ସହଯୋଗ କରିଥିଲେ। ବିଦ୍ରୋହୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଉଦ୍ଦେଶ୍ୟରେ ଜମିଦାର ପରମ୍ପରାର ଅନେକ ପରିବାରର ସଦସ୍ୟଙ୍କୁ ବାଜପୁର ଅଣାଯାଇ ସଦନରେ ସାମିଲ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସଦନର ସଦସ୍ୟମାନେ ସଂଗୃହୀତ ଲୁହାରେ ଖଣ୍ଡା, ଢାଲ, ବର୍ଚ୍ଛା, ତୀର ଆଦି ତିଆରି କରୁଥିଲେ । ଏହି ବିପ୍ଳବୀଙ୍କ ହାତରେ ଏତେ ପରିମାଣର ଅସ୍ତ୍ରଶସ୍ତ୍ର ଦେଖି ଇଂରେଜ ସେନାପତିମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ସଦନର ସଦସ୍ୟମାନେ ବିଭିନ୍ନ ଅଞ୍ଚଳର ବିପ୍ଳବୀଙ୍କୁ ଅଧିକାଂଶ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଇଂରେଜମାନେ ଜାଣିବାକୁ ପାଇବାରୁ ସଦନର ସଦସ୍ୟଙ୍କୁ ଟାଣି ଟାଣି ଜେଲ ହାଜତକୁ ନେଇଥିଲେ।
ଲବଣ ସତ୍ୟାଗ୍ରହରେ ସାମିଲ ହୋଇ ୧୯୪୨ ନଭେମ୍ବର ୧୬ରେ ସଦନର ସଦସ୍ୟମାନେ ଖୋରଧା ଓ ପାଟଣା କ୍ୟାମ୍ପ ଜେଲ୍ରେ ବନ୍ଦୀ ଜୀବନ ବିତାଇଥିବାର ନଜିର ରହିଛି। ବାଜପୁରରେ ପ୍ରତିଷ୍ଠିତ ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ ସାରା ରାଜ୍ୟରେ ବାନରସେନାର ପ୍ରାଣକେନ୍ଦ୍ର ଭାବେ ଅଜସ୍ର ପ୍ରଶଂସା ସାଉଁଟିଥିଲା। ସୈନିକ ସଦନର ନିଷ୍ପତ୍ତି କ୍ରମେ ୧୯୪୭ରେ ଖଦଡ଼ ଓ ଧୋତି ପରିଧାନ କରି ଏହାର ସଦସ୍ୟମାନେ ହାତରେ ତ୍ରିରଙ୍ଗା ଧରି ଗାଁକୁ ଗାଁ ବୁଲିଲେ। ୧୯୫୩ରେ ଭୂତପୂର୍ବ ଅର୍ଥ ଓ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ମୂର୍ତ୍ତି ସ୍ଥାପନ ସମିତିର ସହକାରୀ ସମ୍ପାଦକ ଉଦୟନାଥ ଷଡ଼ଙ୍ଗୀ ପ୍ରମୁଖ ଏହି ସଦନ ପରିଦର୍ଶନରେ ଆସି ବାନରସେନାଙ୍କ କାର୍ଯ୍ୟରେ ବିମୋହିତ ହୋଇଥିଲେ। ସେହିପରି ୧୯୫୭ରେ ଭୂତପୂର୍ବ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ହରିହର ପଟେଲ, ୧୯୫୯ରେ ତତ୍କାଳୀନ ପୁରୀ ଜିଲା ମାଜିଷ୍ଟ୍ରେଟ ଉଦୟଚନ୍ଦ୍ର ଅଗ୍ରୱାଲା, ୧୯୬୧ରେ ତତ୍କାଳୀନ ରାଜ୍ୟପାଳ ଯଶୋବନ୍ତ ନାରାୟଣ ସୁକଠଣକର୍, ୧୯୬୭ରେ ଖ୍ୟାତନାମା କବି ଡ଼.ମାୟାଧର ମାନସିଂହ ପ୍ରମୁଖ ଏହି ସଦନ ପରିଦର୍ଶନ କରି ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ। ସେହିପରି ୧୯୬୪ ମସିହାରେ ଭୂତପୂର୍ବ ବାଚସ୍ପତି ନୀଳକଣ୍ଠ ଦାସ, ସର୍ବଭାରତୀୟ କଂଗ୍ରେସ କମିଟି ପ୍ରବକ୍ତା କେ.କାମରାଜ୍ ପ୍ରମୁଖ ଚିନ୍ତାମଣି ମିଶ୍ରଙ୍କ ନିମନ୍ତ୍ରଣ କ୍ରମେ ଏହି ସଦନ ପରିଦର୍ଶନ କରିଥିଲେ। ସର୍ବୋପରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ରନାରାୟଣ ସିଂହଦେଓ ୧୯୬୭ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବାଜପୁର ଆସିଥିବାବେଳେ ଏହି ସଦନକୁ ଆସିଥିବା ଇତିହାସ ଅବଲୋକନ କଲେ ଜଣାପଡ଼େ।
ଅନ୍ୟପକ୍ଷରେ ସୈନିକ ସଦନ ହିଁ ସଂଗ୍ରାମୀଙ୍କୁ ସାରସ୍ବତ ସାଧନା ପାଇଁ ପ୍ରବର୍ତ୍ତାଇଥିଲା। ଏହାର ଫଳସ୍ବରୁପ ୧୯୬୧ରେ ପଣ୍ଡିତ ମିଶ୍ର ‘ଚିଲିକା ଦର୍ଶନ’, ‘ଭୋଟର ଭାବନା’, ‘ସାମୟିକୀ’ ଓ ‘ଦଶଦିଗ’ ଆଦି କାବ୍ୟ ରଚନା କରି ସାହିତ୍ୟ ଆକାଶକୁ ରୁଦ୍ଧିମନ୍ତ କରିଥିଲେ। ୧୯୬୭ରେ ପାଟଣା ମହାରାଜା ତଥା ନୂତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରୟଣ ସିଂହଦେଓଙ୍କ ସମ୍ପର୍କରେ ଲିଖିତ ‘ପୁଣ୍ୟଶ୍ଲୋକ’ ଆତ୍ମପ୍ରକାଶ କରିଥିଲା। ତେବେ ସେ ଯାହହେଉ, ୮୬ ବର୍ଷ ବୟସରେ ପହଞ୍ଚିଥିବା ସୈନିକ ସଦନ ଆଜି ବି ସଗର୍ବେ ମୁଣ୍ଡ ଟେକି ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଆସୁଛି।
--ମନୋରମା ନନ୍ଦ (ମିଶ୍ର)
ଟ୍ରଷ୍ଟି, ସ୍ବାଧୀନତା ସଂଗ୍ରାମ ସୈନିକ ସଦନ, ବାଜପୁର
ମୋବାଇଲ- ୯୭୭୮୫-୨୨୮୮୨
ସୌଜନ୍ୟ: ଖଣ୍ଡାଧାର ନିଉଜ।