logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରି ଜିଲ୍ଲା ରେଡକ୍ରସ ସୋସାଇଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ: ଆଗାମୀ ଆର୍ଥିକ ବର୍ଷ ପାଇଁ ପାଣ୍ଠି ସଂଗ୍ରହ ପ୍ରକ୍ରିୟା ହେବ ଅଧିକ ବ୍ୟାପକ*



*ମାଲକାନଗିରି, ୧୯/୫/୨୬:*

ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଜସେବା ଓ ଜନକଲ୍ୟାଣ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପାଣ୍ଠି ସଂଗ୍ରହକୁ ବ୍ୟାପକ ଓ ତ୍ଵରାନିତ କରିବା ଲକ୍ଷ୍ୟରେ ଆଜି ମାଲକାନଗିରି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ରେଡକ୍ରସ ସୋସାଇଟିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ଉଚ୍ଚସ୍ତରୀୟ ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବେଦବର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ବୈଠକକୁ ସମ୍ବୋଧିତ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ରେଡକ୍ରସର ମହତ ଆଦର୍ଶ ଉପରେ ଆଲୋକପାତ କରି କହିଛନ୍ତି, "ରେଡକ୍ରସ ପାଣ୍ଠି କେବଳ ଏକ ସରକାରୀ ସଂଗ୍ରହ ବା ଆନୁଷ୍ଠାନିକ ପ୍ରକ୍ରିୟା ନୁହେଁ, ବରଂ ଏହା ବିପତ୍ତି ସମୟରେ ଅସହାୟ, ଗରିବ ଓ ରୋଗୀଙ୍କ ଜୀବନ ବଞ୍ଚାଇବାର ଏକ ପ୍ରମୁଖ ସାହାରା। ଜିଲ୍ଲାର ପ୍ରତ୍ୟେକଟି ଅସହାୟ ବ୍ୟକ୍ତିଙ୍କ ପାଖରେ କିପରି ସଠିକ୍ ସମୟରେ ସାହାଯ୍ୟ ପହଞ୍ଚିପାରିବ, ତାହା ଆମର ପ୍ରାଥମିକତା ହେବା ଉଚିତ। ଆଗାମୀ ଆର୍ଥିକ ବର୍ଷରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଭାଗ ମିଳିତ ଭାବେ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିବା ସହ ଏହି ମହତ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିଷ୍ଠା ଓ ସେବା ମନୋଭାବ ବଜାୟ ରଖିବା ଜରୁରୀ।"

ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଏବଂ ବିଭାଗୀୟ କର୍ମଚାରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ସମସ୍ତ ପ୍ରକାର ସହଯୋଗ କରିଥିଲେ। ବୈଠକରେ ଜିଲ୍ଲାର ସମସ୍ତ ଲାଇନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ପାଣ୍ଠି ସଂଗ୍ରହର ବିଭିନ୍ନ ଉତ୍ସ, ସମସ୍ୟା ଓ ଆଗାମୀ ଯୋଜନା ବାବଦରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ବିଶେଷ କରି ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି କିପରି ଅଧିକରୁ ଅଧିକ ପାଣ୍ଠି ସଂଗ୍ରହ କରାଯାଇ ଜିଲ୍ଲାର ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସେବାକୁ ସୁଦୃଢ଼ କରାଯାଇପାରିବ, ସେ ନେଇ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।

7
864 views

Comment