କେନ୍ଦୁଝର ଟାଉନ ଥାନା ପକ୍ଷରୁ ସାର୍ବଜନୀନ ସ୍ଥାନରେ ମଦ୍ୟପାନ ବିରୋଧୀ ବିଶେଷ ଅଭିଯାନ।
କେନ୍ଦୁଝର ଟାଉନ ଥାନା ପକ୍ଷରୁ ସାର୍ବଜନୀନ ସ୍ଥାନରେ ମଦ୍ୟପାନ ବିରୋଧୀ ବିଶେଷ ଅଭିଯାନ।
କେନ୍ଦୁଝର:୧୭/୦୫ (ଖଣ୍ଡାଧାର ନିଉଜ ବ୍ୟୁରୋ) ଆଜି କେନ୍ଦୁଝର ଟାଉନ ଥାନା ପକ୍ଷରୁ ସହର ଅଞ୍ଚଳର ବିଭିନ୍ନ ଅନ୍ଧାରୁଆ ଓ ସାର୍ବଜନୀନ ସ୍ଥାନରେ ଖୋଲାମେଳା ଭାବେ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଏକ ବିଶେଷ ଡ୍ରାଇଭ୍ ଚାଲାଯାଇଥିଲା। ଏହି ଅଭିଯାନ ସମୟରେ ଟାଉନ ଅଞ୍ଚଳର କିଛି ଗଲି, ଖାଲି ସ୍ଥାନ, ରାସ୍ତା କଡ଼, ପାର୍କ ନିକଟ ଏବଂ ଅନ୍ଧାରୁଆ ସ୍ଥାନରୁ ପ୍ରାୟ ୨୫ ଜଣ ବ୍ୟକ୍ତିଙ୍କୁ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରୁଥିବାବେଳେ ଧରାଯାଇ ଥାନାକୁ ଆଣାଯାଇଥିଲା।
ଏହି ପ୍ରକାର କାର୍ଯ୍ୟକଳାପ ଦ୍ୱାରା ସାଧାରଣ ଲୋକଙ୍କ ମନରେ ଭୟ ଓ ଅସୁରକ୍ଷାର ପରିବେଶ ସୃଷ୍ଟି ହେଉଥିବା ସହିତ ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ୁଥିବାରୁ ଏହି ବିଶେଷ ଅଭିଯାନ କରାଯାଇଥିଲା। ଥାନାକୁ ଆଣାଯାଇଥିବା ସମସ୍ତଙ୍କୁ ସଚେତନ କରାଯାଇଥିବା ସହ ଭବିଷ୍ୟତରେ ଏପରି କାର୍ଯ୍ୟରୁ ଦୂରେଇ ରହିବା ପାଇଁ କଡ଼ା ଚେତାବନୀ ଦିଆଯାଇଛି। ପୁନରାବୃତ୍ତି ଘଟିଲେ ସେମାନଙ୍କ ବିରୋଧରେ ଆଇନାନୁଗତ କଡ଼ା କାର୍ଯ୍ୟାନୁଷ୍ଠାନ গ্ৰହଣ କରାଯିବ ବୋଲି ସୂଚିତ କରାଯାଇଛି।
କେନ୍ଦୁଝର ଟାଉନ ପୋଲିସ ସହରରେ ଶାନ୍ତି, ଶୃଙ୍ଖଳା ଓ ସାଧାରଣ ଲୋକଙ୍କ ସୁରକ୍ଷା ରକ୍ଷା ପାଇଁ ଏପରି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରଖିବ। ସାର୍ବଜନୀନ ସ୍ଥାନରେ ମଦ୍ୟପାନ, ଅସାମାଜିକ କାର୍ଯ୍ୟକଳାପ, ହୁଲ୍ଲଡ଼ ଓ ଜନଶାନ୍ତି ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ପକ୍ଷରୁ ନିୟମିତ ଯାଞ୍ଚ ଓ ଚଢ଼ାଉ ଜାରି ରହିବ।
କେନ୍ଦୁଝର ଟାଉନ ପୋଲିସ ସାଧାରଣ ଲୋକଙ୍କୁ ଆହ୍ୱାନ କରୁଛି ଯେ, ସାର୍ବଜନୀନ ସ୍ଥାନରେ ମଦ୍ୟପାନ କିମ୍ବା କୌଣସି ଅସାମାଜିକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ ଏବଂ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ସହର ଗଠନରେ ପୋଲିସକୁ ସହଯୋଗ କରନ୍ତୁ।