logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମହିଳା ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: DEOଙ୍କ ପରେ ଏବେ ବରଗଡ଼ ବିଇଓ ସୁରେନ୍ଦ୍ର ସାହୁ ନିଲମ୍ବିତ

ମହିଳା ଶିକ୍ଷୟିତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: DEOଙ୍କ ପରେ ଏବେ ବରଗଡ଼ ବିଇଓ ସୁରେନ୍ଦ୍ର ସାହୁ ନିଲମ୍ବିତ
ବରଗଡ଼ ଜିଲ୍ଲାରେ ମହିଳା ସିଆରସିସି (CRCC) ଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ, ଏବେ ବରଗଡ଼ ସିନିୟର ବ୍ଲକ ଶିକ୍ଷାଧିକାରୀ (Sr. BEO) ସୁରେନ୍ଦ୍ର ସାହୁଙ୍କୁ ଚାକିରିରୁ ନିଲମ୍ବିତ (Suspended) କରାଯାଇଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆଧିକାରିକ ନିର୍ଦ୍ଦେଶନାମା (Order No. 12461/SME) ପ୍ରକାଶ ପାଇଛି ।
ସରକାରୀ ଆଦେଶ ଅନୁଯାୟୀ, ଗତ ଏପ୍ରିଲ ୩୦, ୨୦୨୬ରେ ବରଗଡ଼ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହେବା ଦିନଠାରୁ ହିଁ ଶ୍ରୀ ସାହୁଙ୍କ ଏହି ନିଲମ୍ବନ ଆଦେଶ ଲାଗୁ ହେବ । ଓସିଏସ୍ (CC&A) ନିୟମାବଳୀ, ୧୯୬୨ର ରୁଲ୍-୧୨ (sub-rule 2) ଅଧୀନରେ ତାଙ୍କୁ ନିଲମ୍ବିତ ଘୋଷଣା କରାଯାଇଛି । ବିଭାଗୀୟ ନିର୍ଦ୍ଦେଶ ମୁତାବକ, ନ୍ୟାୟିକ ହେପାଜତରୁ (Judicial Custody) ମୁକୁଳିବା ପରେ ଶ୍ରୀ ସାହୁଙ୍କ ମୁଖ୍ୟାଳୟ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରହିବ ଏବଂ ସେ ସକ୍ଷମ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ । ନିଲମ୍ବନ ସମୟରେ ଓଡ଼ିଶା ସେବା ସଂହିତା (Rule-90) ଅନୁଯାୟୀ ସେ କେବଳ ଖୋରାକି ଭତ୍ତା (Subsistence Allowance) ପାଇବାକୁ ଯୋଗ୍ୟ ହେବେ ।
ସୂଚନାଯୋଗ୍ୟ ଯେ, ଜଣେ ମହିଳା ଶିକ୍ଷୟିତ୍ରୀ ତଥା CRCCଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ସହ ଦୀର୍ଘ ଦିନ ଧରି ମାନସିକ ଓ ଶାରୀରିକ ଭାବେ ଯୌନ ନିର୍ଯାତନା ଦେଉଥିବା ନେଇ ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆପତ୍ତି ଉଠିଥିଲା । ଜିଲ୍ଲା ପ୍ରଶାସନର ଆନ୍ତରିକ ଅଭିଯୋଗ କମିଟି (ICC) ଏହି ଘଟଣାର ତଦନ୍ତ କରି ପ୍ରାଥମିକ ପ୍ରମାଣ ପାଇବା ପରେ ପୋଲିସରେ ମାମଲା ଦାୟର କରିଥିଲା । ଏହାପରେ ବରଗଡ଼ ଟାଉନ ଥାନା ପୋଲିସ କେସ୍ ନମ୍ବର ୨୨୯/୨୦୨୬ ରେ ମାମଲା ରୁଜୁ କରି ତତ୍କାଳୀନ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଜ୍ୟୋତିକାନ୍ତ ସାହୁ, ବ୍ଲକ ଶିକ୍ଷାଧିକାରୀ (BEO) ସୁରେନ୍ଦ୍ର ସାହୁ ଏବଂ ସତଲମା ସ୍କୁଲର ପିଇଟି (PET) ସମୀର ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ନୂତନ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ପ୍ରତିରୋଧ ଆଇନ-୨୦୧୩ ଅଧୀନରେ ସଙ୍ଗୀନ ଦଫା ଲଗାଯାଇଛି । ସରକାରଙ୍କ ଏହି କଡ଼ା ଆଭିମୁଖ୍ୟ ଶିକ୍ଷା ବିଭାଗରେ ସ୍ୱଚ୍ଛତା ଓ ମହିଳା ସୁରକ୍ଷା ପ୍ରତି ଏକ ବଡ଼ ଚେତାବନୀ ବୋଲି କୁହାଯାଉଛି ।

0
444 views

Comment