ସ୍ବେଚ୍ଛାସେବୀ "ଦିବ୍ୟାଙ୍ଗ" ଏବଂ "ଆଶା" ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ଆଦିବାସୀ ବେସାହାରା ପିଲାମାନଙ୍କୁ କଲେ ସହାୟତା
ଗୋନାସିକା: ୧୪/୦୫/୨୦୨୬- ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତର କୁଣ୍ଢେଇ ଗାଁ। ସେଇଠି ରମେଶ ଜୁଆଙ୍ଗ ର ଘର। ରମେଶ ଏକ ଶିକ୍ଷିତ ଯୁବକ। ପାରାଦୀପ ରେ କାମ କରୁଥିବା ବେଳେ ରେଳ ଦୁର୍ଘଟଣାରେ ତା'ର ଡାହାଣ ଗୋଡ କଟିଗଲା ଆଣ୍ଠୁ ପାଖରୁ। ଏବେ ଅକର୍ମଣ୍ୟ!
ବାପ ମା' କୁ ସହଯୋଗ କରିବା ବୟସରେ ଘରେ ବସି ରହିଲା। ବାପ, ମା' ଙ୍କ ଉପରେ ବୋଝ ହୋଇଗଲା। ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଜିଲ୍ଲାପାଳ ଙ୍କ ନିକଟକୁ ଲେଖିଲା। କେହି ଶୁଣିଲେ ନାହିଁ। ଦୀର୍ଘ ଆଠ ମାସ ବିତିଗଲା। ସାମାନ୍ୟ ସହଯୋଗ ମଧ୍ୟ ମିଳିଲା ନାହିଁ। ଭତ୍ତା ଗଣ୍ଡେ ଯୋଗାଇ ଦେବାକୁ ମଧ୍ୟ ଜିଲ୍ଲା ପ୍ରଶାସନ ଉଚିତ୍ ମଣିଲା ନାହିଁ।
ଶେଷରେ ଏ ଖବର ପହଞ୍ଚିଲା କେନ୍ଦୁଝର ଦିବ୍ୟାଙ୍ଗ ସଙ୍ଘ ପାଖରେ। ଅନୁଷ୍ଠାନର କର୍ମକର୍ତ୍ତା ଶ୍ରୀଯୁକ୍ତ ଅଭୟ କୁମାର ଜେନା ଆଜି ଆସି ପହଞ୍ଚିଲେ ରମେଶ ର ଘରେ। ରମେଶ ସହିତ ନିଜେ କଥା ହେଲେ। ସବୁ ପଚାରି ବୁଝିଲେ। ସଙ୍ଗରେ ଥିଲେ ସଙ୍ଘର ପରାମର୍ଶଦାତା ଓ ଅନ୍ୟ ସ୍ଵେଚ୍ଛାସେବୀ।
ଶ୍ରୀଯୁକ୍ତ ଜେନା ରମେଶ କୁ କେନ୍ଦୁଝର ନେଇ ତା'ର ଗୋଡ ଲଗାଇବା, ତାକୁ ଏକ ଦୁଇ ଚକିଆ ଚେୟାର ଗାଡି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ତା' ସହିତ ଆଗକୁ ରମେଶ କିପରି ଆତ୍ମନିର୍ଭରଶୀଳ ହୋଇ ପାରିବ, ସେ ଦାୟିତ୍ୱ ମଧ୍ୟ ନେବେ ବୋଲି କହିଛନ୍ତି।
ଏହା ସହିତ ଶ୍ରୀଯୁକ୍ତ ଜେନା ଘୁଙ୍ଗି ଗାଁକୁ ଯାଇ ନଟବର ଜୁଆଙ୍ଗ ର ଚାରି ଭିନ୍ନକ୍ଷମ ଝିଅଙ୍କୁ ଦେଖିଲେ। ସେମାନଙ୍କ ବିଷୟରେ ସବୁ ତଥ୍ୟ ସଂଗ୍ରହ କଲେ। ସେମାନଙ୍କୁ ନେଇ କୌଣସି ଏକ ଭଲ ଆବାସିକ ସ୍ଵେଚ୍ଛାସେବୀ ଅନୁଷ୍ଠାନରେ ରଖିବା ପାଇଁ ବାପ, ମା' ଙ୍କୁ ପ୍ରସ୍ତାବ ଦେଲେ। ଆଗାମୀ ଦିନରେ ଅନ୍ୟ ଦିବ୍ୟାଙ୍ଗ ପିଲାଙ୍କ ଉପରେ ଏକ ସର୍ବେକ୍ଷଣ କରି, ସେମାନଙ୍କ ଯତ୍ନ ନେବାକୁ ମଧ୍ୟ ଶ୍ରୀ ଜେନା କହିଛନ୍ତି।
ଆଶାର ସ୍ଥାନୀୟ ସ୍ଵେଚ୍ଛାସେବୀଙ୍କ ମଧ୍ୟରେ ଥିଲେ ଶ୍ରୀ ଡମ୍ବରୁଧର ଘଣା, ଶ୍ରୀମାନ ତୁଷାର ଭୁଷଣ ମହାନ୍ତ ଓ ଶ୍ରୀମାନ ରାମଚନ୍ଦ୍ର ମହାନ୍ତ।
(ଖଣ୍ଡାଧାର ନିଉଜ- ମନୋଜ ପଟେଲଙ୍କ ରିପୋର୍ଟ)।