ଯୁକ୍ତ ଦୁଇ ବାଣିଜ୍ୟରେ ଶତକଡା ୯୬.୬ପ୍ରତିଶତ ନମ୍ବର ରଖି ଅଧିକ ସ୍ମରଣୀୟ ହେଲେ ବିଏସ ତଥ୍ୟ।
ଯୁକ୍ତ ଦୁଇ ବାଣିଜ୍ୟରେ ଶତକଡା ୯୬.୬ପ୍ରତିଶତ ନମ୍ବର ରଖି ଅଧିକ ସ୍ମରଣୀୟ ହେଲେ ବିଏସ ତଥ୍ୟ।
- ମେଧାବୀ ଓ ସରଳ ସ୍ୱଭାବର ବିଏସ ତଥ୍ୟଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଥିଲେ ସମସ୍ତେ
- ବିଦ୍ୟାଳୟରେ ପ୍ରଥମ ୭ଜଣଙ୍କରେ ସ୍ଥାନ ପାଇଲେ
କେନ୍ଦୁଝର,୧୫/୦୫:କେନ୍ଦୁଝର ଜିଲ୍ଲା ସହ ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥା ବିଏସ ମଲର ସତ୍ୱାଧିକାରୀ ଜିତେନ୍ଦ୍ର କୁମାର ସାହୁ ଓ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁଙ୍କ ଏକମାତ୍ର ପୁତ୍ର ବିଏସ ତଥ୍ୟ ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଶତକଡା ୯୬. ୬ ପ୍ରତିଶତ ନମ୍ବର ରଖି କୃତିତ୍ୱର ସହ ପାସ କରିଛନ୍ତି । ଏକ ଦୁଃଖଦ ତଥା ସମସ୍ତଙ୍କୁ ଶୋକ ମଧ୍ୟକୁ ଠେଲି ଦେଇଥିବା ଘଟଣାକ୍ରମରେ ବିଏସ ତଥ୍ୟ ଭୁବନେଶ୍ୱର ସାଇ ଇଂଟରନ୍ୟାସନାଲ ସ୍କୁଲରୁ ଯୁକ୍ତ ଦୁଇ ପରୀକ୍ଷା ଦେଇ କେନ୍ଦୁଝରକୁ ଆସିଥିଲେ । କେନ୍ଦୁଝର ରହଣି ସମୟରେ ସେ ନିଜ ସାଙ୍ଗକୁ ଭେଟି ଫେରୁଥିବା ସମୟରେ ସହର ଉପକଣ୍ଠ ଗୋବିନ୍ଦପୁର ନିକଟରେ ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତାଙ୍କ ବିୟୋଗରେ ସମଗ୍ର କେନ୍ଦୁଝର ଜିଲ୍ଲା ସମେତ ଅନ୍ୟାନ୍ୟ ଅଂଚଳରେ ଦୁଃଖର ଛାଇ ଖେଳିଯାଇଥିବାବେଳେ ମେ ୧୪ ତାରିଖ ବୁଧବାର ଦିନ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବା ପରେ ତଥ୍ୟଙ୍କ କୃତିତ୍ୱ ଓ ମେଧାବୀ ଛାତ୍ର ଭାବରେ ତାଙ୍କର ସଫଳତାକୁ ନେଇ ସାଧାରଣରେ ଚର୍ଚ୍ଚା ହେବା ସହିତ ଜଣେ ଭଲ ଛାତ୍ର ଭାବରେ ଅନ୍ୟାନ୍ୟ ସୁଗୁଣ ସମ୍ପର୍କରେ ମଧ୍ୟ ଅବଲୋକନ କରାଯାଉଛି । ବିଏସ ତଥ୍ୟଙ୍କ ମାର୍କସିଟରୁ ମିଳିଥିବା ସୂଚନା ଅନୁଯାୟୀ ସେ ଅର୍ଥନିତୀ ବା ଇକୋନୋମିକସରେ ୧୦୦ରୁ ୯୫,ବିଜିନେସ ଷ୍ଟଡିଜରେ ୧୦୦ରୁ ୯୮, ଆକାଉଂଟାନ୍ସିରେ ୧୦୦ରୁ ୯୩,ଏଂଟରପ୍ରିନ୍ୟୁରସିପରେ ୧୦୦ରୁ ୯୮ ନମ୍ବର ,ଇଂରାଜୀରେ ୧୦୦ରୁ ୯୬ନମ୍ବର,ପେଂଟିରେ ଶତକଡା ୯୬ଭାଗ ନମ୍ବର ରଖିଥିବାବେଳେ ସମସ୍ତ ବିଷୟରେ ଏ-୧ ଗ୍ରେଡରେ ପାସ କରିଛନ୍ତି । ଜଣେ ସରଳ ଓ ଅତ୍ୟନ୍ତ ଶାନ୍ତ ସ୍ୱଭାବର ଛାତ୍ର ଭାବେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ତଥ୍ୟ କେନ୍ଦୁଝରର ରବିନ୍ଦ୍ର ବିଦ୍ୟା ନିକେତନରେ ପାଠ ପଢି ସେଠାରୁ ମଧ୍ୟ କୃତୀତ୍ୱର ସହ ଏ ୧ ଗ୍ରେଡ଼ରେ ପାସ କରିଥିଲେ । ତଥ୍ୟଙ୍କ ରେଜଲ୍ଟ ପ୍ରକାଶ ପାଇବା ପରେ କେନ୍ଦୁଝରର ସାଧାରଣ ବ୍ୟକ୍ତିବିଶେଷ ଓ ସହପାଠୀଙ୍କ ନିକଟରେ ତଥ୍ୟଙ୍କ ସ୍ମୃତି ଅଧିକ ଉଜ୍ୱିବୀତ ହୋଇଛି । ନିଜର ଏକମାତ୍ର ପୁଅଙ୍କର ଏହି ସଫଳତାକୁ ନେଇ ଜିତେନ୍ଦ୍ର ଓ ନିକୁ ନୀରବ ରହିଥିବାବେଳେ ତାଙ୍କ ସ୍ମୃତିକୁ କେବଳ ପାଥେୟ କରିଥିବା ଜଣାପଡିଛି।
(ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦେବାଶିଷ ମିଶ୍ରଙ୍କ ରିପୋର୍ଟ)।