ଜିଲ୍ଲାପରିଷଦ (ଷଷ୍ଠ ଅଧିବେଶନ) ଦଶମ ବୈଠକ ଅନୁଷ୍ଠିତ
ଦେବଗଡ଼, ତା. ୧୩.୦୫.୨୦୨୬ ରିଖ :-
ଦେବଗଡ଼ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାପରିଷଦର ଷଷ୍ଠ ଅଧିବେଶନର ଦଶମ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ତତ୍ୱାବଧାନରେ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
ବୈଠକରେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲାପରିଷଦ ଉପସଭାପତି ବର୍ଷା ରାଣୀ ମୁଣ୍ଡା ଏବଂ ପୂର୍ବତନ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ସ୍ୱାଗତ ଭାଷଣ ଦେଇ ଜିଲ୍ଲାର ସମଗ୍ର ବିକାଶ ପାଇଁ ଜନପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ। ସେ ବିକାଶ କାର୍ଯ୍ୟକୁ ତ୍ୱରାନିତ କରିବା ଓ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ବିଗତ ବୈଠକର ସମୀକ୍ଷା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ଖାଦ୍ୟ ଯୋଗାଣ, ଗ୍ରାମୀଣ ବିଦ୍ୟୁତୀକରଣ, ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ (ସଡ଼କ ଓ ଭବନ), ଜଳସେଚନ, ଖଣି, ଜଙ୍ଗଲ, ଆଦିବାସୀ ଉନ୍ନୟନ, ପଶୁ ସମ୍ପଦ, ମତ୍ସ୍ୟ, ସାମାଜିକ କଲ୍ୟାଣ, ଶ୍ରମ ଓ ନିଯୁକ୍ତି, ଶିଳ୍ପ, ପରିବହନ ଓ ଅନ୍ୟାନ୍ୟ ବିଭାଗର କାର୍ଯ୍ୟ ସମୀକ୍ଷା କରାଯାଇଥିଲା।
ଏହା ସହିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା, ଓଡିଶା ଜୀବିକା ମିଶନ, ଗ୍ରାମୀଣ ଆବାସ ଯୋଜନା ଓ ଦୀନଦୟାଳ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା।
ବୈଠକରେ ଜିଲ୍ଲାପରିଷଦ ସଭ୍ୟମାନେ ଗୀତାଞ୍ଜଳି ପାଣି, ପୁଷ୍ପାଞ୍ଜଳି ସାମଲ, ସମରେନ୍ଦ୍ର ଜିତ, ରାଜେଶ ମହାନାୟକ ସହ ରିଆମାଳ ଓ ବାରକୋଟ ପଞ୍ଚାୟତ ସମିତିର ଅଧ୍ୟକ୍ଷମାନେ ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।