କିଶୋରନଗର: ଗମ୍ଭାରୀମଳିହାରେ ଗୋଣ୍ଡ ସମାଜ ବାର୍ଷିକ ସଭା ଅନୁଷ୍ଠିତ
କିଶୋରନଗର: ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ଗମ୍ଭାରୀମଳିହା ଆମ୍ବତୋଟା ପରିସରରେ ଗୋଣ୍ଡ ସମାଜ ବ୍ରାହ୍ମଣୀଦେଇ ପୁଞ୍ଜର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ସଭାରେ ପାରମ୍ପରିକ ରୀତି ଅନୁଯାୟୀ ପ୍ରଭୁ ଜଙ୍ଘାଦେବଙ୍କୁ ପୂଜା କରାଯାଇଥିଲା । ବୈଠକରେ ସାମାଜିକ ବିଧିବିଧାନ ଅନୁପାଳନ, ସଂସ୍କୃତିର ସୁରକ୍ଷା ଏବଂ ଯୁବପିଢ଼ିଙ୍କୁ ପରମ୍ପରା ପ୍ରତି ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ବାର୍ଷିକ ଆୟ-ବ୍ୟୟର ହିସାବ ପ୍ରଦର୍ଶନ ଓ ଆଭ୍ୟନ୍ତରୀଣ ଋଣ କାରବାର ପ୍ରକ୍ରିୟା ହୋଇଥିଲା । ଗମ୍ଭାରୀମଳିହାର ଛାତ୍ରୀ ଝରଣା ନାୟକଙ୍କୁ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଏକ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା । ପୂର୍ବତନ ସମ୍ପାଦକ ରଞ୍ଜନ ନାୟକ ମଧ୍ୟ କୃତୀ ଛାତ୍ରୀଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧନା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ସଭା ରାଘବ ନାୟକ ଓ କୁଶ କୁମାର ନାୟକଙ୍କ ନେତୃତ୍ୱରେ ଚାଲିଥିଲା ଯେଉଁଥିରେ କୋଷାଧ୍ୟକ୍ଷ ମାନଗୋବିନ୍ଦ ନାୟକ, ଉପସଭାପତି ଗୋବର୍ଧନ ନାୟକ ଓ ପ୍ରାୟ ୨୫୦ ରୁ ଅଧିକ ପୁରୁଷ ଓ ମହିଳା ଆଠଟି ଗ୍ରାମରୁ ଯୋଗଦେଇଥିଲେ ।