ନୂଆପଡ଼ା: ୨୦୨୬ ମାଟ୍ରିକ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ନୂଆପଡ଼ା: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ନେସନାଲ ମହାବିଦ୍ୟାଳୟ ପରିସରରେ ୨୦୨୬ ମସିହାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ ଓ ଏ-୨ ଗ୍ରେଡ୍ରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ ଜିଲ୍ଲାପାଳ ମଧୂସୁଦନ ଦାଶ ଭାଗ ନେଇଥିଲେ ଓ ବିଧାୟକ ଜୟ ଭାଇ ଢୋଲକିଆ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ଅଧିକାରୀମାନେ ଯେପରିକି ଆରକ୍ଷୀ ଅଧୀକ୍ଷକ ଆମ୍ରିତପାଲ ସିଂ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ଡଃ ସୋନିଆ ଜୈନ, ତାରେଶ୍ୱରୀ ସାହୁ, ଡଃ ପ୍ରଶାନ୍ତ କୁମାର ମହାନ୍ତି, ସୁଧାଂଶୁ ଶେଖର ମିଶ୍ର, ଡଃ ରେଶମଲାଲ ନାଏକ, ଲିଙ୍କନ ଦାଶ ଓ ହିତେଶ କୁମାର ସାହୁ ମଧ୍ୟ ଯୋଗ ଦେଇଥିଲେ।
ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଥିଲେ। ଆରକ୍ଷୀ ଅଧୀକ୍ଷକ ଆମ୍ରିତପାଲ ସିଂ ସୋସିଆଲ ମିଡିଆରୁ ଦୂରେଇ ପୁସ୍ତକ ପାଠନର ଗୁରୁତ୍ୱ ବିଷୟରେ ଉପଦେଶ ଦେଇଥିଲେ। ବିଧାୟକ ଜୟ ଭାଇ ଢୋଲକିଆ ଛାତ୍ରଛାତ୍ରୀଙ୍କୁ ସଂଘର୍ଷମୟ ଜୀବନରେ ଅଟୁଟ ସଂକଳ୍ପ ସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ। ଜିଲ୍ଲାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ମଧୂସୁଦନ ଦାଶ ୩୧,୦୦୦, ୨୧,୦୦୦ ଓ ୧୧,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ।
ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଶାନ୍ତ କୁମାର ମହାନ୍ତି ସରଳ ଓ ନୀତିମାନ ମଣିଷ ହେବାର ଆବଶ୍ୟକତା ଉଲ୍ଲେଖ କରି ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଶୀର୍ଷସ୍ଥାନକୁ ନେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ୨୦୨୬ ମାଟ୍ରିକ ପରୀକ୍ଷାରେ ନୂଆପଡ଼ା ୯୭.୮୭% ଫଳାଫଳ ସହ ରାଜ୍ୟରେ ଷଷ୍ଠ ସ୍ଥାନ ଅଧିକାର କରିଛି। ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଫଳକ, ଉପହାର ଓ ପୁଷ୍ପଗୁଚ୍ଛ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅନେକ ଅଧିକାରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ଯୋଗ ଦେଇଥିଲେ।