ଆଠମଲ୍ଲିକ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଡ଼. ତ୍ରିଲୋଚନ ପ୍ରଧାନଙ୍କ ଅବସର ଗ୍ରହଣରେ ଭାବବିହ୍ୱଳ ପରିବେଶ
ଆଠମଲ୍ଲିକ, ୩୦/୪ : (ଧନଞ୍ଜୟ ନାୟକ) ଆଠମଲ୍ଲିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତ୍ରିଲୋଚନ ପ୍ରଧାନଙ୍କୁ ଗୁରୁବାର ଦିନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦାୟକାଳୀନ ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଗଣିତ ବିଭାଗର ଅଧ୍ୟାପକ ଗୋପବନ୍ଧୁ ପ୍ରଧାନ ଅଧ୍ୟକ୍ଷତା କରିଥିଲେ।
ସଭାରେ ବିଦାୟୀ ଅଧ୍ୟକ୍ଷ ଡ଼. ପ୍ରଧାନଙ୍କ କାର୍ଯ୍ୟଦକ୍ଷତା, ପ୍ରଶାସନିକ ଦୃଢତା, ସରଳ ଓ ଅମାୟିକ ବ୍ୟବହାରକୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ। ଡ଼. ପ୍ରଧାନ ଗତ ୨ ଅଗଷ୍ଟ ୨୦୨୫ ତାରିଖରେ ଆଠମଲ୍ଲିକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ଯୋଗଦେଇଥିଲେ। ସେ ଇତିହାସ ବିଭାଗରେ ଡକ୍ଟରେଟ୍ ହାସଲ କରିଥିବା ବେଳେ ନିଜ କାର୍ଯ୍ୟକାଳ ମଧ୍ୟରେ ମହାବିଦ୍ୟାଳୟର ଶିକ୍ଷା, ଶୃଙ୍ଖଳା ଓ ପ୍ରଶାସନିକ ପରିଚାଳନାରେ ନୂଆ ଦିଗ ସୃଷ୍ଟି କରିଥିଲେ।ଅବସର ଗ୍ରହଣ ଅବସରରେ ସେ ଭାବପ୍ରବଣ ହୋଇ କହିଥିଲେ ଯେ, “ଆଠମଲ୍ଲିକର ପ୍ରାକୃତିକ ସବୁଜିମା, ମହାବିଦ୍ୟାଳୟର ସମସ୍ତଙ୍କ ଅନନ୍ୟ ସହଯୋଗ ଓ ଛାତ୍ରଛାତ୍ରୀମାନଙ୍କ ନିର୍ମଳ ସ୍ନେହକୁ ମୁଁ ସଦା ସାଉଁଟି ରଖିବି।” ତାଙ୍କ ଏହି ଅଭିଭାଷଣରେ ସଭାସ୍ଥଳରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କ ପକ୍ଷରୁ ତାଙ୍କ ସୁସ୍ଥ, ସୁଖମୟ ଓ ନିରାମୟ ଅବସରଜୀବନ କାମନା କରାଯାଇଥିଲା। ଅର୍ଥନୀତି ବିଭାଗର ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଅଧ୍ୟାପକ ଅମ୍ବରୀଶ ଷଡ଼ଙ୍ଗୀ, ଗଗନ କୁମାର ମିଶ୍ର, ମନ୍ମଥ ପାଲ, ହୃଷିକେଶ ମହାକୁଡ଼, କ୍ଷୀରୋଦ ପ୍ରଧାନ, ବ୍ରଜଗୋପାଳ ମିଶ୍ର, ଅଧ୍ୟାପିକା ଅମ୍ରିତା ଅଞ୍ଜଳି ଗୁରିଆ ଓ ମୁଖ୍ୟ କିରାଣୀ ଭୁବନ ମୋହନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।