logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୂଚନା ଫଳକ ନାହିଁ କି ଗୁଣବତ୍ତା ନାହିଁ: ମଙ୍ଗଳପୁର ବାଘଡେଗା ନାଳ ପୋଲ କାମରେ ଅନିୟମିତତା ଅଭିଯୋଗ ।

ଚମ୍ପୁଆ : - (୨୭/୦୪)ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଭଣ୍ଡା ଠାରୁ ପଡୁଆ, ଭୂଇଁପୁର, ଉଖୁଣ୍ଡା ଓ ବାରିଆ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା ଏବେ ବିବାଦ ଘେରରେ। ଏହି ରାସ୍ତାର ପଡ଼ୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପୁର ବାଘଡେଗା ନାଳ ଉପରେ ଚାଲିଥିବା ପୋଲ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।ସରକାରୀ ନିୟମ ଅନୁଯାୟୀ, ଯେକୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସେଠାରେ ଏକ ସୂଚନା ଫଳକ ଲଗାଯିବା ବାଧ୍ୟତାମୂଳକ। ଏହି ଫଳକରେ ପ୍ରକଳ୍ପର ବ୍ୟୟ ଅଟକଳ, କାର୍ଯ୍ୟ ଶେଷ ହେବା ଅବଧି ଏବଂ ଠିକାଦାରଙ୍କ ବିଷୟରେ ସବିଶେଷ ତଥ୍ୟ ରହିବା କଥା। ମାତ୍ର ବାଘଡେଗା ନାଳ ପୋଲ ନିର୍ମାଣ ସ୍ଥଳରେ ଏଭଳି କୌଣସି ଫଳକ ଲଗାଯାଇ ନାହିଁ। ଲୋକଙ୍କୁ ଅନ୍ଧାରରେ ରଖି କାମ କରାଯାଉଥିବାରୁ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।
କେବଳ ସୂଚନା ଫଳକ ନୁହେଁ, ବରଂ ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ ନେଇ ମଧ୍ୟ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ବ୍ୟବହୃତ ହେଉଥିବା ସାମଗ୍ରୀ ଅତି ନିମ୍ନମାନର ବୋଲି ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅର୍ଥର ହରିଲୁଟ୍ ଚାଲିଛି। ସ୍ଥାନୀୟ ଗ୍ରାମବାସୀଙ୍କ କହିବା କଥା
ଆମ ଅଞ୍ଚଳର ଏହି ଗୁରୁତ୍ୱପୂର୍ଣ୍ଣ ପୋଲ କାମଟି କେତେ ଟଙ୍କାରେ ହେଉଛି ବା କିଏ କରୁଛି, ସେ ବିଷୟରେ କିଛି ଜଣାପଡୁନାହିଁ। କାମ ମଧ୍ୟ ଅତି ନିମ୍ନମାନର ହେଉଛି। ଯଦି ଏହାର ଉଚ୍ଚସ୍ତରୀୟ ତଦନ୍ତ ନହୁଏ, ତେବେ ଆଗକୁ ପୋଲର ସ୍ଥାୟିତ୍ୱ ନେଇ ବିପଦ ରହିବ। ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଉଚ୍ଚପଦସ୍ଥ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। କାମର ଗୁଣବତ୍ତା ଯାଞ୍ଚ କରାଯିବା ସହ ସୂଚନା ଫଳକ ନଲଗାଇ କାମ କରୁଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ଜୋର ଧରିଛି।

15
413 views

Comment