logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଦିବାସୀ ଙ୍କ ଦୁଃଖ, ଗୁହାରୀ ଶୁଣିବ କିଏ?

ଆଦିବାସୀ ଙ୍କ ଦୁଃଖ, ଗୁହାରୀ ଶୁଣିବ କିଏ?

କେନ୍ଦୁଝର: ୨୬/୦୪(ଖଣ୍ଡାଧାର ନିଉଜ)
ଜଣେ ଗରିବ , ଦିନ ମଜୁରିଆ ଆଦିବାସୀ ଲୋକର କରୁଣ କାହାଣୀ କାହା କାନରେ ପଡିଲା ନାହିଁ। ଝାଟିମାଟି ଘରର ଭଙ୍ଗା ଦଦରା ଛପର କାହାରି ଦୃଷ୍ଟିକୁ ଆସିଲା ନାହିଁ। ବର୍ଷ ବର୍ଷ ଧରି ନେହୁରା ହେଲେ ବି ମରାମତି କେହି କଲେ ନାହିଁ। ଝଡ, ବର୍ଷାର ଦାଉ ଭିତରେ ବିତୁଛି ଜୀବନ।
ଏମିତି ଏକ ଘଟଣା ଦୃଷ୍ଟିକୁ ଆସିଛି। ବାଂଶପାଳ ବ୍ଲକର କୋଡିପଶା ପଞ୍ଚାୟତ। ତା'ରି ଅଧିନରେ କୁଣ୍ଢେଇ ଗାଁ। ଏଇଠି ପଞ୍ଚୁ ଜୁଆଙ୍ଗର ଘର। ଗାଁ ପାଖରେ ନିୟମିତ କାମ ମିଳେ ନାହିଁ ବୋଲି, ପଞ୍ଚୁ କଟକରେ ରହି କାମ କରେ। ଗାଁରେ ସ୍ତ୍ରୀ ପର ଘରେ ମଜୁରୀ କରି ପିଲାଙ୍କୁ ପାଳେ। ଚାଷ ବୋଲି କିଛି ନାହିଁ। ଯାହା ରୋଜଗାର କରନ୍ତି, ସବୁ କିଛି ଖାଇବା, ପିନ୍ଧିବାକୁ ନିଅଣ୍ଟ। ଏ ଘର ମରାମତି ତାଙ୍କ ତାକତ ବାହାରେ।
ସ୍ଵାମୀ, ସ୍ତ୍ରୀ ଓ ଦୁଇ ପିଲାଙ୍କୁ ମିଶାଇ ଚାରିଜଣର ଏକ ପରିବାର । ଗୋଟିଏ ବଖରା ଘର। ପୁଣି ଜରି ପାଲ ଘୋଡା ଦଦରା ଛପର ତଳେ ତା' ପିଲାଙ୍କୁ ନେଇ ରୁହେ। ତୋଫାନ ହେଲେ ଧୂଳି ପଶି ଯାଏ। ଜୋର୍ ବର୍ଷା ହେଲେ ପାଣି ଝରେ। ତା'ରି ସାଙ୍ଗକୁ ବିଛା, ସରିସୃପ ର ଭୟ। ଏହା କାହା ହୃଦୟକୁ ଛୁଇଁଲା ନାହିଁ। ନା ପଞ୍ଚାୟତ ଅଧିକାରୀ, ନା ବ୍ଲକ୍ କତୃପକ୍ଷ, ନା ଜିଲ୍ଲା ପ୍ରଶାସନ , କେହି ଏ ଦଦରା ଛପରର ମରାମତି ପାଇଁ ପଦକ୍ଷେପ ନେବାକୁ ଉଚିତ୍ ମଣିଲେ ନାହିଁ।
ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ଦୃଷ୍ଟିକୁ ଆସିଲା ଏ ଘଟଣା। ଆଶା ଲେଖିଲା ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, ଓଡ଼ିଶାର ରାଜ୍ୟପାଳ, ଲୋକଙ୍କ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସଚିବ, କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟକୁ। ସମସ୍ତେ ପତ୍ର ପାଇଲେ। ହେଲେ, ଦୁଃଖର କଥା, କେହି ଆଜି ପର୍ଯ୍ୟନ୍ତ ସେ ଦଦରା ଛପରର ମରାମତି ପାଇଁ କିଛିବି କଲେ ନାହିଁ। ସେ ଛପର ଆଜିବି ସେମିତି ଅଛି।‌ ଭାବନ୍ତୁ, କେମିତି ଦିନ କାଟିଥିବେ ଏମାନେ ଝଡ଼, ବର୍ଷା ଦିନରେ। ଏବେ ଏକ ପକ୍କା ଘର ମଞ୍ଜୁର ହୋଇଛି।
ପ୍ରତିକ୍ରିୟାରେ ଆଶାର ସ୍ଵେଚ୍ଛାସେବୀ ଶ୍ରୀ ଡମ୍ବରୁଧର ଘଣା କହିଛନ୍ତି - ଏହା ବୟାନ କରୁଛି- ପ୍ରଶାସନ କରୁଛି କ'ଣ । ଅସହାୟ ଗରିବ ଆଦିବାସୀଙ୍କ ପ୍ରତି କେତେ ସମ୍ବେଦନଶୀଳ। ଏକଥା କ'ଣ କହିବା କି - ଏମାନେ ଏମିତି ସଢି ସଢି ବଞ୍ଚିବାକୁ ଜନ୍ମ ହୋଇଛନ୍ତି ? ଭଲ ଘର ଖଣ୍ଡିଏ ପାଇଁ କ'ଣ ଏମାନଙ୍କ ଅଧିକାର ନାହିଁ ? ଗୋଟିଏ ବଖରା ଘରର ଛପର ମରାମତି ପାଇଁ କେତେ ଅର୍ଥ ଖର୍ଚ୍ଚ ହେବ ଯେ, କତୃପକ୍ଷ ଏହା ହାତକୁ ନେଲେ ନାହିଁ ?
ଏ ଗାଁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ।‌ ଦେଖାଯାଉ, ମାନ୍ୟବର ଏ ଗରିବର ଦୁଃଖ କେବେ ବୁଝୁଛନ୍ତି। "ଆଶା" ଆଶା ରଖିଛି - ସରକାର ପଞ୍ଚୁ ଜୁଆଙ୍ଗ ସପକ୍ଷରେ ଯେଉଁ ଘରଟି ମଞ୍ଜୁର ହୋଇଛି, ତା'ର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପର୍ଣ୍ଣ କରନ୍ତୁ ଓ ଆକସ୍ମିକ ଝଡ, ବତାସ ଦାଉରୁ ରକ୍ଷା ପାଇଁ ବର୍ତ୍ତମାନ ରହୁଥିବା ଘରଟିର ଛପର ତୁରନ୍ତ ମରାମତି କରିବାକୁ ପଦକ୍ଷେପ ନିଅନ୍ତୁ।
(ମନୋଜ ପଟେଲ ଙ୍କ ରିପୋର୍ଟ )

16
785 views

Comment