logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସମସ୍ୟା ଘେରରେ କଦଳୀମୁଣ୍ଡା ପାଣ ସାହି: ସରକାରୀ ଯୋଜନା କେବଳ କାଗଜ କଲମରେ, ଅଭିଯୋଗକୁ ପ୍ରଶାସନର ଅଣଦେଖା !

ଅନୁଗୋଳ (କରୁଣାକର ନାୟକ)୨୨/୪
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ କିଶୋରନଗର ବ୍ଲକର କଦଳୀମୁଣ୍ଡା ପଞ୍ଚାୟତରେ ଦେଖିବାକୁ ମିଳିଛି ବିକାଶର ଏକ ବିକଳ ଚିତ୍ର। କେନ୍ଦ୍ର ଓ ରାଜ୍ୟ ସରକାର ଦଳିତ ଓ ଆଦିବାସୀଙ୍କ କଲ୍ୟାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, କଦଳୀମୁଣ୍ଡା ପାଣ ସାହିର ବାସିନ୍ଦା ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ। ସାହିର ଅବସ୍ଥା ଏପରି ଯେ, ସାମାନ୍ୟ ବର୍ଷା ହେଲେ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଅସନା ପାଣି ନିଷ୍କାସିତ ହୋଇ ନପାରି ଜଳବନ୍ଦୀ ଅବସ୍ଥା ସୃଷ୍ଟି କରୁଛି। ଫଳରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଯାତାୟାତ କରିବାରେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ସେତିକି ନୁହେଁ, ସାହିରେ ନଳକୂପ ଥିଲେ ମଧ୍ୟ ସିମେଣ୍ଟ ଚାନ୍ଦିନୀ କିମ୍ବା ଶୋଷକ ଗର୍ତ୍ତ (Soak Pit) ନଥିବାରୁ ଚାରିଆଡେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ସାହି ବାସୀଙ୍କ ବାରମ୍ବାର ଦାବି ପରେ 'ବିକଶିତ ଗାଁ ବିକଶିତ ଓଡ଼ିଶା' ପାଣ୍ଠିରୁ ପାଣ ସାହିରେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ମାତ୍ର ଅଭିଯୋଗ ଅନୁଯାୟୀ, ରାଜନୈତିକ ଉଦ୍ଦେଶ୍ୟ ରଖି ଉକ୍ତ ରାସ୍ତାକୁ ପାଣ ସାହିରେ ନକରି ଅନ୍ୟ ଏକ ସାହି (ମହୁଲମୁଣ୍ଡି ସାହି)ରେ ନିର୍ମାଣ କରାଯାଇଛି। ଏହି ବେନିୟମ କାର୍ଯ୍ୟ ଯୋଗୁଁ ସାହି ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ସାହି ବାସୀ ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ମାଗଣା ବିଜୁଳି ଠାରୁ ଆରମ୍ଭ କରି ପକ୍କା ରାସ୍ତା ପର୍ଯ୍ୟନ୍ତ ସମସ୍ତ ସରକାରୀ ଯୋଜନା ଏଠାରେ ଅପହଞ୍ଚ ହୋଇ ରହିଛି।ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ପାଣ ସାହିକୁ ଏକ ସ୍ଥାୟୀ ପକ୍କା ରାସ୍ତା ଓ ପାନୀୟ ଜଳର ସୁବିଧା ଯୋଗାଇ ଦିଆଯାଉ।"
ଏବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଓ ଉଚ୍ଚ କର୍ତ୍ତୃପକ୍ଷ କେବେ ଏହି ଅବହେଳିତ ପାଣ ସାହି ଉପରେ ଦୃଷ୍ଟି ପକାଉଛନ୍ତି।

31
2841 views

Comment