ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୭ ଯୋଡ଼ିଙ୍କ ସାମୂହିକ ବିବାହ
ମାଲକାନଗିରି(୨୧/୪) - ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ଏକ ଭବ୍ୟ ସାମୂହିକ ବିବାହ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ମୋଟ ୧୭ଟି ଯୋଡ଼ି ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂତନ ଜୀବନରେ ପ୍ରବେଶ କରିଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ଏବଂ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଉପସ୍ଥିତ ହୋଇ ନବଦମ୍ପତିଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଥିଲେ। ଜିଲ୍ଲାପାଳ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଏହି ଯୋଜନା ଗରିବ ପରିବାରମାନଙ୍କ ପାଇଁ ବଡ଼ ସହାୟକ ହେଉଛି ଏବଂ ଏହା ମାଧ୍ୟମରେ ସେମାନଙ୍କୁ ସାମାଜିକ ସ୍ୱୀକୃତି ସହିତ ଆଇନଗତ ସୁରକ୍ଷା ମଧ୍ୟ ମିଳୁଛି।
ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି କହିଥିଲେ ଯେ, ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଅଞ୍ଚଳର କନ୍ୟାମାନେ ସମ୍ମାନର ସହ ନୂତନ ଜୀବନ ଆରମ୍ଭ କରିପାରୁଛନ୍ତି। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଧ୍ୟ ଏଭଳି ସାମୂହିକ ବିବାହ ଯୋଜନାକୁ ଯୌତୁକ ପ୍ରଥା ବିରୋଧରେ ଏକ ଦୃଢ଼ ପଦକ୍ଷେପ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ବେଦବର ପ୍ରଧାନ, ସିଡିଓ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକଙ୍କ ତତ୍ତ୍ୱାବଧାନରେ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ପ୍ରତ୍ୟେକ କନ୍ୟାଙ୍କୁ ୪୫ ହଜାର ଟଙ୍କାର ଚେକ୍, ବିବାହ ପଞ୍ଜିକରଣ ସାର୍ଟିଫିକେଟ ଓ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓଡ଼ିଶା ସରକାରଙ୍କ ଏକ ମୁଖ୍ୟ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ଯାହା ଦରିଦ୍ର ପରିବାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ତାଙ୍କ ଝିଅମାନଙ୍କ ବିବାହକୁ ସହଜ କରୁଛି।
ଏହି କାର୍ଯ୍ୟକ୍ରମ ସଫଳ କରିବାରେ ସ୍ୱେଚ୍ଛାସେବୀ ସଂଗଠନ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା।