ସିରିପେଟାରେ ଅକ୍ଷୟ ତୃତୀୟା ପାଳନ: ଅଖିମୁଠି ଓ ରଥକାଠ ଅନୁକୂଳରେ କୃଷିକାର୍ଯ୍ୟର ଶୁଭାରମ୍ଭ
ମାଲକାନଗିରି (୨୦/୦୪): କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ପରକାନମାଳା ପଞ୍ଚାୟତର ସିରିପେଟା ଗ୍ରାମ ସ୍ଥିତ ଦୟଣା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ବୈଶାଖ ଶୁକ୍ଳ ତୃତୀୟାକୁ ଅକ୍ଷୟ ତୃତୀୟା ଭାବେ ପରିଚିତ ଏହି ଦିନକୁ ସରକାରୀ ଭାବେ କୃଷକ ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଏହି ଅବସରରେ କୃଷକମାନେ ଅଖିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି।
ପାରମ୍ପରିକ ପଦ୍ଧତି ଅନୁସାରେ କୃଷକମାନେ ଅମୃତ ବେଳାରେ ନୂତନ ଗଉଣିରେ ଧାନ ବିହନ ନେଇ, ହଳଦୀ, ଚନ୍ଦନ ଓ ସିନ୍ଦୂର ଲାଗାଇ ଶଙ୍ଖ ଓ ହୁଳହୁଳି ମଧ୍ୟରେ କ୍ଷେତକୁ ପ୍ରସ୍ଥାନ କରିଥିଲେ। ଏହାସହିତ ଏହି ଦିନରେ ଗୃହନିର୍ମାଣ, ବିବାହ ଓ ଅନ୍ୟାନ୍ୟ ଶୁଭକାର୍ଯ୍ୟ ଆରମ୍ଭ କରିବାକୁ ମଙ୍ଗଳମୟ ମନାଯାଏ।
ଏହି କାର୍ଯ୍ୟକ୍ରମରେ ମନ୍ଦିରର ମୁଖ୍ୟ ପୂଜକ ବିଜୟାନନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ମୁଖ୍ୟ କର୍ତ୍ତା ଜେ. ରାଙ୍ଗା ରାଓ, ବିଶ୍ୱ ହିନ୍ଦୁ ପରିଷଦର କ୍ଷେତ୍ରୀୟ ପ୍ରଚାରକ ଅର୍ଜୁନ ଶାସ୍ତ୍ରୀ, ଟ୍ରଷ୍ଟ ସଭାପତି ସନାତନ ମାଢୀ ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରଥମେ ମନ୍ଦିର ସମୀପର ଜମିରେ ଅଖିମୁଠି ଅନୁକୂଳ କରାଯାଇଥିଲା, ପରେ ରଥକୁ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ ହୋଇଥିଲା।
ସ୍ଥାନୀୟ ବଢେଇ ଶିବରାମ ମହାରଣା ନୂତନ ଅଖ କାଠକୁ ରଥରେ ସଂଯୋଜନ କରିଥିବା ବେଳେ, ଗ୍ରାମର ସଙ୍କୀର୍ତ୍ତନ ଦଳ “ହରେ କୃଷ୍ଣ ହରେ ରାମ” ମହାମନ୍ତ୍ର ଉଚ୍ଚାରଣ କରି ପରିବେଶକୁ ଭକ୍ତିମୟ କରିଥିଲେ। ଏହା ସହ ରଥ ଅନୁକୂଳ କାର୍ଯ୍ୟ ବିଧିବିଧାନ ପୂର୍ବକ ସମ୍ପନ୍ନ ହୋଇଥିଲା।