ବରଗଡ଼ରେ ଢାବାରେ ଚାଲିଥିଲା ଦେହ ବ୍ୟବସାୟ, ମାଲିକ-ଗ୍ରାହକ ସହ ୫ ଗିରଫ
ବରଗଡ଼ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ଦେହ ବ୍ୟବସାୟର ପର୍ଦ୍ଦାଫାଶ କରିଛି ପୋଲିସ। ସୋମବାର ସକାଳେ ଧାଙ୍ଗେର ଆନ୍ଧ୍ରାଟିକ୍ରା ନିକଟରେ ଅବସ୍ଥିତ 'ଜୟ ଦୁର୍ଗା ଢାବା' ଉପରେ ପୋଲିସ ଅତର୍କିତ ଚଢ଼ାଉ କରି ଏହି ଅସାଧୁ କାରବାରକୁ ରୋକିଛି।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ହେବ ଉକ୍ତ ଢାବାରେ ଦେହ ବ୍ୟବସାୟ ଚାଲିଥିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା। ଏହାକୁ ଆଧାର କରି ବରଗଡ଼ ଗ୍ରାମାଞ୍ଚଳ ପୋଲିସ ଟିମ୍ ସୋମବାର ଢାବାରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ସେଠାରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଢାବା ମାଲିକ, ତାଙ୍କ ସ୍ତ୍ରୀ ଏବଂ ୩ ଜଣ ଗ୍ରାହକ ସାମିଲ ଅଛନ୍ତି। ଏହାସହିତ ଢାବା ଭିତରୁ ବିପୁଳ ପରିମାଣର ବିଦେଶୀ ମଦ ମଧ୍ୟ ଜବତ କରାଯାଇଛି।
ପୋଲିସ ଅଭିଯୁକ୍ତମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଢାବା ମାଧ୍ୟମରେ ଏଭଳି ଅନୈତିକ କାର୍ଯ୍ୟ କିପରି ଚାଲିଥିଲା ଏବଂ ଏଥିରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।