ସନାତନୀ ବ୍ରାହ୍ମଣ ସମାଜ ତରଫରୁ ପର୍ଶୁରାମ ଜନ୍ମ ମହୋତ୍ସବ ପାଳନ
ବରଗଡ଼ ଜିଲ୍ଲାର ବରପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସନାତନୀ ବ୍ରାହ୍ମଣ ସମାଜ ତରଫରୁ ଭଗବାନ ପର୍ଶୁରାମଙ୍କ ଜନ୍ମ ମହୋତ୍ସବ ଭକ୍ତିମୟ ପରିବେଶରେ ପାଳନ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଜଗନ୍ନାଥ ମନ୍ଦିରରୁ ଏକ ଭବ୍ୟ ନଗର ପରିକ୍ରମା ଆୟୋଜିତ ହୋଇଥିଲା। ଘଣ୍ଟ ବାଦ୍ୟର ତାଳେ ତାଳେ ଭଗବାନ ପର୍ଶୁରାମଙ୍କ ଜୟଗାନରେ ଶ୍ରଦ୍ଧାଳୁମାନେ ଉଲ୍ଲାସିତ ହୋଇଥିଲେ।ହିନ୍ଦୁ ପୁରାଣ ଅନୁସାରେ ଭଗବାନ ପର୍ଶୁରାମ ବିଷ୍ଣୁଙ୍କ ଷଷ୍ଠ ଅବତାର ଭାବେ ପରିଚିତ ଏବଂ ସେ ଏକମାତ୍ର ଏମିତି ଅବତାର ଯିଏ ବ୍ରାହ୍ମଣ କୁଳରେ ଜନ୍ମ ନେଇ ଯୋଧ୍ୟା ଭୂମିକା ନିଭାଇଥିଲେ। ସେ ମହର୍ଷି ଜମଦଗ୍ନି ଓ ମାତା ରେଣୁକାଙ୍କ ପୁତ୍ର ଥିଲେ। ‘ପର୍ଶୁ’ଧାରଣ କରିଥିବାରୁ ସେ ‘ପର୍ଶୁରାମ’ ନାମରେ ପରିଚିତ ହୋଇଥିଲେ।ପୁରାଣ କଥାନୁସାରେ ଭଗବାନ ପର୍ଶୁରାମ ଅଧର୍ମ ଓ ଅନ୍ୟାୟ ବିରୋଧରେ ଅବତରଣ କରିଥିଲେ। ସେ ନିଜ ପିତାଙ୍କ ଆଦେଶକୁ ସର୍ବୋପରି ମାନି ଆଜ୍ଞାପାଳନର ଉତ୍କୃଷ୍ଟ ଉଦାହରଣ ଦେଇଥିଲେ। କ୍ଷତ୍ରିୟ ଅତ୍ୟାଚାର ବଢ଼ିଥିବା ସମୟରେ ସେ ୨୧ ଥର ପୃଥିବୀକୁ କ୍ଷତ୍ରିୟମୁକ୍ତ କରିଥିବା କଥା ପୁରାଣରେ ଉଲ୍ଲେଖ ମିଳେ। ଏହା ତାଙ୍କର ଧର୍ମପାଳନ ଓ ନ୍ୟାୟପ୍ରତି ପ୍ରତିବଦ୍ଧତାକୁ ପ୍ରକାଶ କରେ।ଅନ୍ୟପଟେ ଭଗବାନ ପର୍ଶୁରାମ ଶିକ୍ଷା ଓ ଶସ୍ତ୍ରବିଦ୍ୟାରେ ପାରଙ୍ଗତ ଥିଲେ। ମହାଭାରତ ଅନୁସାରେ ସେ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଓ କର୍ଣ୍ଣଙ୍କ ଗୁରୁ ଭାବେ ପରିଚିତ। ସେ ଗୁରୁ ଭାବେ ଶିଷ୍ୟମାନଙ୍କୁ ଶୌର୍ଯ୍ୟ ସହିତ ନୀତି ଓ ଶିଷ୍ଟାଚାର ଶିଖାଇଥିଲେ। ତାଙ୍କ ଜୀବନରେ ତ୍ୟାଗ, ଶିଷ୍ଟାଚାର, ଗୁରୁଭକ୍ତି ଓ ଧର୍ମପ୍ରତି ଅଟୁଟ ନିଷ୍ଠା ପ୍ରକାଶ ପାଉଛି।ଏହି ପରିକ୍ରମାରେ ବରପାଲି ବ୍ଲକ ସହିତ ଆଖପାଖ ଗାଁମାନଙ୍କର ପୂଜ୍ୟ ବ୍ରାହ୍ମଣ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ପରିକ୍ରମା ପରେ ମନ୍ଦିର ପରିସରରେ ପଣ୍ଡିତ କୃଷ୍ଣଚନ୍ଦ୍ର ଦେବତାଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଭଗବାନ ପର୍ଶୁରାମଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ନୀତି, ଶୃଙ୍ଖଳା ଓ ଏକତା ବଢ଼ାଇବାକୁ ବକ୍ତାମାନେ ଆହ୍ୱାନ କରିଥିଲେ।ବିଜେପୁର ବିଧାୟକଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ପାଞ୍ଚ ଲକ୍ଷ ଟଙ୍କାର ଅନୁଦାନ ବିଷୟରେ ମଧ୍ୟ ସଭାରେ ଆଲୋଚନା କରାଯାଇଥିଲା ଏବଂ ଏହାର ସଦ୍ବ୍ୟବହାର ନେଇ ମତବିନିମୟ ହୋଇଥିଲା।ଏହି ସଭାରେ କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ହୋତା, ସଂପାଦକ ଅରୁଣ ପଣ୍ଡା ଓ ପିନାକି ମିଶ୍ର, ବିଭୂତି ମିଶ୍ର, ସଦାନନ୍ଦ ଦାସ, ପ୍ରଦୀପ ଦାଶ, ନିରଞ୍ଜନ ମିଶ୍ର, ଅଜିତ ଦାଶ, ଉପଗୁପ୍ତ ତ୍ରିପାଠୀ, ନାରାୟଣ ପଣ୍ଡା, ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।ଶେଷରେ ଉପ-ସଭାପତି ବିଭୂତି ମିଶ୍ର ଧନ୍ୟବାଦ ଜଣାଇଥିବା ସହ ସଭାର ସମାପ୍ତି ଘୋଷଣା କରାଯାଇଥିଲା।