ମାଲକାନଗିରିରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ ପାଇଁ ସମୀକ୍ଷା ବୈଠକ
ମାଲକାନଗିରି,୧୮/୪: ଜିଲ୍ଲାର ପ୍ରତିଟି ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏବଂ ଚିକିତ୍ସା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ବୈଠକ ଆରମ୍ଭରେ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ତୃଣମୂଳ ସ୍ତରରେ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରଗୁଡ଼ିକର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ସରକାରଙ୍କ ପ୍ରମୁଖ ଯୋଜନା ଯଥା ଆୟୁଷ୍ମାନ ଭାରତ ଓ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ସଫଳ ରୂପାୟଣ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ। କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମ୍ବନ୍ଧିତ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମାତୃ ଓ ଶିଶୁ ମୃତ୍ୟୁ ହାର କମେଇବା ପାଇଁ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ଓ କାର୍ଯ୍ୟକ୍ଷମ ପ୍ରଣାଳୀ ପ୍ରସ୍ତୁତ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଥିଲେ। ଏହି ପ୍ରଣାଳୀକୁ କେବଳ କାଗଜରେ ସୀମିତ ରଖି ନ ଥାଇ ତୃଣମୂଳ ସ୍ତରରେ ପ୍ରୟୋଗ କରିବାକୁ ସେ ଉଲ୍ଲେଖ କରିଥିଲେ। ଏଥିସହ ଜିଲ୍ଲାରେ ଚାଲିଥିବା ଟୀକାକରଣ କାର୍ଯ୍ୟକ୍ରମର ଅଗ୍ରଗତି, ଚିକିତ୍ସାଳୟ ଭିତ୍ତିଭୂମିର ଉନ୍ନତି ଏବଂ ଆବଶ୍ୟକ ସୁବିଧା ବୃଦ୍ଧି ପାଇଁ ଅବିଳମ୍ବ ପଦକ୍ଷେପ ନେବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ଜନସାଧାରଣଙ୍କୁ ସମୟୋପଯୋଗୀ ଓ ସହଜ ସେବା ଯୋଗାଇବା ପାଇଁ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଉତ୍ତମ ବ୍ୟବହାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ମୁଖ୍ୟ ଚିକିତ୍ସାଧିକାରୀ ଡା. ଡୋଳାମଣି ପ୍ରଧାନ ଉପସ୍ଥିତ ଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିଶନର ଡଃ ମୌସୁମୀ ମିଶ୍ର ବୈଠକକୁ ସଫଳ ଭାବେ ପରିଚାଳନା କରିଥିଲେ।