logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାଂଶପାଳରେ 'ବିହନ ରଥ' ସଚେତନତା ଶିବିର : ଅକ୍ଷୟ ତୃତୀୟାରୁ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ।

ବାଂଶପାଳରେ 'ବିହନ ରଥ' ସଚେତନତା ଶିବିର : ଅକ୍ଷୟ ତୃତୀୟାରୁ ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ।

କେନ୍ଦୁଝର,ତା୧୮/୦୪- ବାଂଶପାଳ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର 'ବିହନ ରଥ' ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଖରିଫ ଋତୁ ପାଇଁ ଚାଷୀଙ୍କୁ ଉନ୍ନତମାନର ବିହନ ଓ ମୃତ୍ତିକା ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଭିପ୍ରାୟ ଥିଲା। ଏହି ଶିବିରରେ ବ୍ଲକ କୃଷି ଅଧିକାରୀ ଶ୍ରୀମତି ପ୍ରିୟଙ୍କା ପ୍ରିୟଦର୍ଶିନୀ ମିଶ୍ର ସଭା କାର୍ଯ୍ୟ ଶୁଭାରମ୍ଭ କରି ଚାଷୀଙ୍କ ସୁବିଧା ପାଇଁ ସରକାରଙ୍କ ଏହି ପ୍ରୟାସ ପ୍ରଶଂସନୀୟ ବୋଲି ଉଦବୋଧନ ଦେଇଥିଲେ।ନିର୍ବାଚିତ ଜନପ୍ରତିନିଧିମାନେ ଏହି ଯୋଜନାର ସଫଳ ରୂପାୟନ ପାଇଁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ। ବ୍ଲକ କୃଷି ଅଧିକାରୀ ଶ୍ରୀ ସୁଶାନ୍ତ ପଣ୍ଡା ସଭାରେ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କହିଥିଲେ ଯେ, ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ମନୋନୀତ ୧୦ଟି ଜିଲ୍ଲା ମଧ୍ୟରୁ କେନ୍ଦୁଝର ଅନ୍ୟତମ। ଆଗାମୀ ପବିତ୍ର ଅକ୍ଷୟ ତ୍ରିତୀୟା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସେବାକୁ ଲୋକାର୍ପିତ କରିବେ। କେନ୍ଦୁଝର ଜିଲ୍ଲାର ସଦର, ବାଂଶପାଳ, ସାହରପଡ଼ା ଓ ତେଲକୋଇ ବ୍ଲକରେ ଆସନ୍ତା ତା ୨୦/୪/୨୬ ରିଖରୁ ଦୁଇ ମାସ ପର୍ଯ୍ୟନ୍ତ ଏହି ରଥ ଗାଁ ଗାଁ ବୁଲି ଚାଷୀଙ୍କୁ ରୋଗ-ପୋକ ପ୍ରତିରୋଧକାରୀ ତଥା ଅଧିକ ଅମଳକ୍ଷମ ଧାନ ବିହନ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଯୋଗାଇଦେବ। କାର୍ଯ୍ୟକ୍ରମରେ ମୃତ୍ତିକା ସ୍ୱାସ୍ଥ୍ୟ ଉପରେ ଗଭୀର ଉଦବେଗ ପ୍ରକାଶ କରି ଶ୍ରୀ ପଣ୍ଡା କହିଥିଲେ ଯେ ଅସନ୍ତୁଳିତ ରାସାୟନିକ ସାର ପ୍ରୟୋଗ ଯୋଗୁଁ ମାଟିର ଗୁଣବତ୍ତା ନଷ୍ଟ ହୋଇ ଅମ୍ଳତା ବୃଦ୍ଧି ପାଉଛି। କେନ୍ଦ୍ର ସରକାରଙ୍କ 'ଧରତି ମାତା ବଚାଓ' ଅଭିଯାନ ଅଧୀନରେ ଗ୍ରାମ ସ୍ତରୀୟ କମିଟି ଓ ସରପଞ୍ଚଙ୍କ ସହାୟତାରେ ଚାଷୀଙ୍କୁ ମାଟି ପରୀକ୍ଷା କରି ସାର ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି। ଚାଷୀମାନେ ଅତିକମରେ ୨୫ ପ୍ରତିଶତ ରାସାୟନିକ ସାର ବ୍ୟବହାର କମାଇ ଜୈବିକ ଖତ ବ୍ୟବହାର କରିବାକୁ ସେ ଅନୁରୋଧ କରିଥିଲେ। ସାର କାରବାରରେ ହେଉଥିବା ଅନିୟମିତତାକୁ ରୋକିବା ପାଇଁ ଶ୍ରୀ ପଣ୍ଡା ସ୍ପଷ୍ଟ କରିଥିଲେ ଯେ, ଯଦି କୌଣସି ଖୁଚୁରା ସାର ବିକ୍ରେତା ‘ସାର ନିୟନ୍ତ୍ରଣ ଆଦେଶ ୧୯୮୫'ର ଅବମାନନା କରନ୍ତି,ତେବେ ବ୍ଲକ ସ୍ତରୀୟ ସାର ପରିଦର୍ଶକଙ୍କ ଜରିଆରେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସଭା ଶେଷରେ ସହକାରୀ କୃଷି ଅଧିକାରୀ ମାଧବ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶିବିର ରେ ୨୧ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଅଗ୍ରଣୀ ଚାଷୀ, କୃଷକ ସାଥୀ ଓ କୃଷି ଓ ଆନୁଷଙ୍ଗିକ କୃଷି ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସହକାରୀ ବୈଷୟିକ ପରିଚାଳକ ପ୍ରମୋଦ କୁମାର ମହାନ୍ତ,ତରଣିସେନ୍ ମହାନ୍ତ ସୁଚାରୂ ରୂପେ ପରିଚାଳନା କରିଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

12
757 views

Comment