ପି.ଏମ. ଶ୍ରୀ ଗୋହିରା ନୋଡାଲ ହାଇସ୍କୁଲରେ ମହାକାଶ ବିଜ୍ଞାନ ଉପରେ ଅନୁସନ୍ଧାନ କାର୍ଯ୍ୟକ୍ରମ
ଦେବଗଡ଼,ତା ୧୭/୦୪/୨୦୨୬ ରିଖ :- ରିଆମାଳ ବ୍ଲକ ଅଧିନସ୍ଥ ରେଙ୍ଗାଲବେଡା ଗ୍ରାମରେ ଅବସ୍ଥିତ ପି.ଏମ. ଶ୍ରୀ ଗୋହିରା ନୋଡାଲ ହାଇସ୍କୁଲରେ “ମହାକାଶ ବିଜ୍ଞାନ ଅନୁସନ୍ଧାନ” ଶୀର୍ଷକରେ ଏକ ମାସିକ ବିଜ୍ଞାନମୂଳକ କାର୍ଯ୍ୟକ୍ରମ ସୁଚାରୁରୂପେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ପ୍ରଧାନ ଶିକ୍ଷକ କୁମୁଦ ବନ୍ଧୁ ପୃଷ୍ଟିଙ୍କ ପୌରାହିତ୍ୟରେ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଅଧ୍ୟାପକ ମନୋରଞ୍ଜନ ବାରିକ୍ ମହାକାଶ, ଅନ୍ତରୀକ୍ଷ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହମାଳା ଓ ଉପଗ୍ରହ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଗଭୀର ଓ ମୌଳିକ ଜ୍ଞାନ ଦାନ କରିଥିଲେ। ତାଙ୍କର ଉପସ୍ଥାପନା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ବଢ଼ାଇଥିଲା।
ମହାକାଶ ବିଜ୍ଞାନକୁ ନେଇ ଆୟୋଜିତ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରିଆମାଳ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସାନ୍ଧ୍ୟରାଣୀ ପାତ୍ର ଓ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶରତ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମନୋରଞ୍ଜନ ବାରିକଙ୍କୁ ପ୍ରଧାନ ଶିକ୍ଷକ କୁମୁଦ ବନ୍ଧୁ ପୃଷ୍ଟିଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଆରମ୍ଭରେ ଶିକ୍ଷକ ବିକାଶ ମାହାର ସ୍ୱାଗତ ଭାଷଣ ଦେଇଥିବାବେଳେ, ଶେଷରେ ଶିକ୍ଷୟିତ୍ରୀ ବର୍ଣ୍ଣାଳି ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିବାରେ ବିଦ୍ୟାଳୟର ଶିକ୍ଷକ ବିଘ୍ନେଶ କୁମାର ନାୟକ, ବିଶ୍ୱଜିତ ସାହୁ, ବିକାଶ ମାହାର ଓ ଶିକ୍ଷୟିତ୍ରୀ ବର୍ଣ୍ଣାଳି ସାହୁ ପ୍ରମୁଖ ସହଯୋଗ କରିଥିଲେ।
ସବୁଜ ଶ୍ୟାମଳ ରେଙ୍ଗାଲବେଡା ଅଞ୍ଚଳରେ ଆୟୋଜିତ ଏହି ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମକୁ ସମସ୍ତ ଛାତ୍ରଛାତ୍ରୀ ଆଗ୍ରହ ସହ ଉପଭୋଗ କରିଥିଲେ।