ମାଲକାନଗିରିରେ ବିଶାଳ ‘ସୁଭଦ୍ରା ଶକ୍ତି’ ପଦଯାତ୍ରା: ମହିଳା ସଶକ୍ତିକରଣରେ ନୂଆ ଉତ୍ସାହ
ମାଲକାନଗିରି (୧୬/୪): ମାଲକାନଗିରି ଜିଲ୍ଲାରେ ଆଜି ମହିଳା ସଶକ୍ତିକରଣକୁ କେନ୍ଦ୍ର କରି ଏକ ବିଶାଳ ‘ସୁଭଦ୍ରା ଶକ୍ତି’ ସଚେତନତା ପଦଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ସଂସ୍କୃତି ଭବନ ପର୍ଯ୍ୟନ୍ତ ଏହି ପଦଯାତ୍ରାରେ ଶତାଧିକ ମହିଳାଙ୍କ ସହଭାଗୀତା ଦେଖିବାକୁ ମିଳିଥିଲା।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ଓ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଥିଲେ। ସାମାଜିକ ପରିବର୍ତ୍ତନ ଓ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରା ସମୟରେ ମହିଳାମାନେ ବିଭିନ୍ନ ସ୍ଲୋଗାନ ଦେଇ ସମାଜରେ ନାରୀ ସଶକ୍ତିକରଣର ଗୁରୁତ୍ୱକୁ ଉଦ୍ଧୋଷ କରିଥିଲେ।
ପଦଯାତ୍ରା ଶେଷରେ ସଂସ୍କୃତି ଭବନ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ନାରୀ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ମହିଳାମାନଙ୍କ ଆତ୍ମବିଶ୍ୱାସ, ସାହସ ଓ ଏକତା ହିଁ ଏକ ସମୃଦ୍ଧ ସମାଜ ଗଠନର ମୂଳ ଆଧାର। ସେ କହିଥିଲେ ଯେ ‘ସୁଭଦ୍ରା ଯୋଜନା’ ଓ ‘ମିଶନ ଶକ୍ତି’ ମାଧ୍ୟମରେ ସରକାର ପ୍ରତ୍ୟେକ ମହିଳାଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବାକୁ ପ୍ରତିବଦ୍ଧ ଅଛନ୍ତି।
ସେହିପରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମହିଳାମାନଙ୍କ ଭୂମିକାକୁ ପ୍ରଶଂସା କରି କହିଥିଲେ ଯେ, ଜଣେ ମହିଳା ସଶକ୍ତ ହେଲେ ସେ କେବଳ ନିଜ ପରିବାର ନୁହେଁ, ସମଗ୍ର ସମାଜକୁ ଆଗକୁ ନେଇଯାଆନ୍ତି। ସେ ମହିଳାମାନଙ୍କୁ ସରକାରୀ ଯୋଜନାର ସୁଯୋଗ ନେବା ପାଇଁ ଆହ୍ୱାନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ ଏବଂ ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ହର୍ଷାନନ୍ଦ ପ୍ରଧାନ ଉପସ୍ଥିତ ରହିଥିଲେ। ସେମାନେ ମହିଳାମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ଆତ୍ମନିର୍ଭରଶୀଳତା ଓ ସ୍ୱୟଂସହାୟକ ଗୋଷ୍ଠୀର ଗୁରୁତ୍ୱ ସମ୍ପର୍କରେ ସଚେତନ କରିଥିଲେ।
ପଦଯାତ୍ରା ଓ ସଭା ସମୟରେ ମହିଳାମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଓ ସକ୍ରିୟ ସହଭାଗୀତା ଦେଖାଯାଇଥିଲା। ଏହା ମାଲକାନଗିରି ଜିଲ୍ଲାରେ ନାରୀ ସଶକ୍ତିକରଣ ପ୍ରତି ବଢୁଥିବା ସଚେତନତାର ପ୍ରତିକ ଭାବେ ଦେଖାଯାଉଛି। ଏହି ପ୍ରୟାସ ଆଗାମୀ ଦିନରେ ଏକ ସଶକ୍ତ, ସ୍ୱାବଲମ୍ବୀ ଓ ପ୍ରଗତିଶୀଳ ସମାଜ ଗଠନରେ ନିଶ୍ଚୟ ଭାବେ ମୂଲ୍ୟବାନ ଭୂମିକା ନିଭାଇବ ବୋଲି ମତ ପ୍ରକାଶ ପାଇଛି।