logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧ୍ରୁବତାରା - ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ଦ୍ଵାରା ରଚିତ କବିତା।

ଧ୍ରୁବତାରା
*******
ଦେବାଶିଷ ଚକ୍ରବର୍ତ୍ତୀ

ମାତ୍ର ଦୁଇଟିଅକ୍ଷର ରେ ଗଢା
ତୁମ ନାଆଁ ର କଳେବର
ମାତ୍ର ତା ଭିତରେ ସାଇତା ହୋଇ ରହିଛି
ସାଢେ଼ ଚାରି କୋଟି ଓଡିଆ ଙ୍କ ଶ୍ରଦ୍ଧା ଅପାର
ସତରେ ତୁମେ କଣ ଥିଲ ଯାଦୁକର ?
ଯାହାର ପଦିଏ କଥାରେ
ଝାଉଁଳା ମନର ଅଗଣାରେ
ପୁଚି ଖେଳୁଥିଲା ପ୍ରତ୍ୟୟ ର
ସୁନାରଙ୍ଗୀ ଖରା
ଗ୍ଲାନି ର ଅନ୍ଧାର ହଟିଯାଇ
ଚହଟି ଉଠୁଥିଲା ମନର ବଖରା।

ରାଜନୀତି କରି ଫକିର ରୁ ଅମିର ହେବାର ଉଦାହରଣ ପ୍ରଚୂର
ମାତ୍ର ବିରଳ ବ୍ୟତିକ୍ରମ
ତୁମେ ଥିଲ ଏହାର
କାରଣ ସ୍ରୋତ ର ଉଜାଣୀ ରେ
ନାଆ ବାହିବାର ସାହସ ଥିଲା ତୁମର।

ଋଷିଆ ହେଉକି ଇଣ୍ଡୋନେସିଆ
କେଉଁଠି ଉଡିନି ତୁମ
ପରାକ୍ରମ ର ଚିରାଳ
ଓଡିଆ ଲଢୁଆ ବୋଲି ସିନା
ରଟି ଚାଲିଛନ୍ତି ଶାସ୍ତ୍ର ପୁରାଣ
ମାତ୍ର ତୁମେ ନିଜେ ହିଁ ନୁହଁକି ଏହାର ପ୍ରମାଣ?

କେତେଦିନ ବା ବସିଥିଲ
କ୍ଷମତା ସିଂହାସନ ରେ
ଅଳ୍ପ କେଇବର୍ଷ କେନ୍ଦ୍ରମନ୍ତ୍ରୀ
ଦୁଇ ପାଳି ରେ କିଛିବର୍ଷ ମୁଖ୍ୟମନ୍ତ୍ରୀ
ସବୁମିଶିଲେ ହୁଏତ ଦୁଇଅଙ୍କ
ଛୁଇଁ ପାରେ ଅତି ବେଶୀରେ।

ଆନନ୍ଦ ରେ ଫାଟି ପଡ଼ିନ
ବିଜୟ ତିଳକ ରେ
ଅଥବା ଦୁଃଖ ରେ ଭାଙ୍ଗି ପଡ଼ିନ
ପରାଜୟ ରେ
ବରଂ ନିର୍ଲିପ୍ତ ସନ୍ୟାସୀ ଭଳି
ତାକୁ ବିଭୁତି ମଣି ବୋଳି ହୋଇଛ ଦ୍ୱିଧାହୀନ ଭାବରେ ।

ସମର୍ଥ ଓ ସ୍ଵାଭିମାନୀ ଓଡ଼ିଶା ଗଢିବାହିଁ ଥିଲା ଇପ୍ସିତ ଅଭିଳାଷ ତୁମର
ସେଇଥିପାଇଁ ତ ଦୈତାରି ରୁ ପାରାଦୀପ ଯାଏଁ
ତୁମ ଦୃଷ୍ଟି ପହଁରୁଥିଲା ନିରନ୍ତର।

ଦେହପଞ୍ଜୁରୀ ଛାଡ଼ି ଆତ୍ମାପକ୍ଷୀ ଉଡିଗଲାଣି
କାହିଁ କେଉଁ କାଳରୁ
ଅଥଚ ତୁମ ସ୍ମୃତି ର ଅକ୍ଷର
ଲିଭି ଯାଇଛି କି ମନ ସିଲଟ ରୁ?
ଢେଏର୍ ଶାସକ ହଜିଗଲେଣି
ଇତିହାସ ଅଳିଆଗଦା ରେ
ହେଲେ, ତୁମେ ଝଟକୁ ନାହଁ କି
ଧ୍ରୁବତାରା ସାଜି ଆମ ମନ ଆକାଶରେ?
*******************************
ମଣ୍ଡୁଆ, କେନ୍ଦୁଝର ଗଡ
ମୋ ୯୪୩୭୭୫୨୩୯୫
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ସ୍ମୃତି ରେ ସମର୍ପିତ

15
753 views

Comment