କୁଣ୍ଡାପିଠା ହନୁମାନ ବାଟିକାରେ ହନୁମାନଜୀଙ୍କ ଚତୁର୍ଥ ବାର୍ଷିକ ଜୟନ୍ତୀ ମହାସମାରୋହରେ ପାଳିତ।
କୁଣ୍ଡାପିଠା ହନୁମାନ ବାଟିକାରେ ହନୁମାନଜୀଙ୍କ ଚତୁର୍ଥ ବାର୍ଷିକ ଜୟନ୍ତୀ ମହାସମାରୋହରେ ପାଳିତ।
କେନ୍ଦୁଝର,୧୪/୦୪ : (ଖଣ୍ଡାଧାର ନିଉଜ) ଭାରତର ଆଧ୍ୟାତ୍ମିକ,ଦାର୍ଶନିକ ଓ ସାମାଜିକ ଦୃଷ୍ଟିକୋଣ ତଥା ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ମହା ବିଷୁବ ସଂକ୍ରାନ୍ତି ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଜୀଙ୍କର ଜନ୍ମୋତ୍ସବ ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତି ପାଳନର ପରମ୍ପରା ବହୁ ପ୍ରାଚୀନ ଓ ଗୌରବମୟ ଅଟେ । ଓଡ଼ିଶାରେ ଏହି ବିଷୁବ ସଂକ୍ରାନ୍ତି ଦିନକୁ ମଧ୍ୟ ହନୁମାନଙ୍କ ଜନ୍ମ ତିଥି ରୂପେ ପାଳନ କରାଯାଏ । ଏହି ଦିନ ଭକ୍ତ ହନୁମାନଙ୍କର ପୂଜନ କଲେ ପ୍ରଭୁ ଶ୍ରୀରାମଙ୍କ କୃପା ଲାଭ ମିଳେ ବୋଲି ବିଶ୍ଵାସ ରହିଛି। ଏଣୁ ଗ୍ରାମାଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ହନୁମାନ ମନ୍ଦିରରେ ହୋମଯଜ୍ଞ କର୍ମ ସହ ସୁନ୍ଦରା କାଣ୍ଡ ପଠନ ଓ ୧୦୮ ହନୁମାନ ଚାଳିଶା ଭକ୍ତି ଓ ଶ୍ରଦ୍ଧାର ସହ ପାଠ କରିଥାନ୍ତି।
ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକର କୁଣ୍ଡାପିଠା ହନୁମାନ ବାଟିକାରେ ଭକ୍ତ ଓ ଜନସାଧାରଣଙ୍କ ପୂର୍ଣ୍ଣ ସହଯୋଗ କ୍ରମେ ହନୁମାନଜୀଙ୍କ ଚତୁର୍ଥ ବାର୍ଷିକ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ କର୍ତ୍ତା ତଥା ଶ୍ରୁତା ପଦ୍ମନାଭ ପଲେଇ ଓ ତାଙ୍କ ସହଧର୍ମିଣୀ ଯଶୋଦା ପଲେଇ ଙ୍କ ପୌରୋହିତ୍ଯରେ ନୈଷ୍ଠିକ ବୈଦିକ ପଣ୍ଡିତ ତଥା ମୁଖ୍ୟ ପୁରୋଧା ଅଭିଜିତ ପଣ୍ଡା (ମଣ୍ଟୁ ନନା), ନଙ୍ଗଳକଣ୍ଟି ବେଲେଶ୍ୱର ବେଦପାଠ ଶାଳାର ପ୍ରଧାନ ଆଚାର୍ଯ୍ୟ ଶୋନାଚନ୍ଦ୍ର ମିଶ୍ର ଓ ତାଙ୍କର ଛାତ୍ର ବୃନ୍ଦ ଏବଂ ଆଚାର୍ଯ୍ୟ ସିପୁନ କୁମାର ମହାପାତ୍ର ଯଥାବିଧି ପୂଜାର୍ଚ୍ଚନା ସମାପନ କରିଥଲେ। ପ୍ରଥମେ ରତନ ପଲେଇ ଙ୍କ ସମେତ ସତେଇଶି ଜଣ ମାଆ, ଭାଇ ଭଉଣୀଙ୍କ ଦ୍ବାରା କଳସ ଯାତ୍ରା ଗ୍ରାମ ପରିକ୍ରମା କରାଯାଇ ଥିଲା। ଆମର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ କୁଣ୍ଡାପଠା ଡ୍ରାଇଭର ସଂଘ ତରଫରୁ ଭକ୍ତ ମାନଙ୍କୁ ପଣା ଓ ହନୁମାନ ବାଟିକା କମିଟି ତରଫରୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଉକ୍ତ ଉତ୍ସବକୁ ହନୁମାନ ବାଟିକାର ଉଦ୍ୟୋକ୍ତା ଓ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ହନୁମାନ ଜୀଉଙ୍କ ଜନ୍ମୋତ୍ସବ ସମାପ୍ତ ହୋଇଯାଇଛି।