ମିଳନୀର ବିଷୁବ କବିତା ଆସର।
ମିଳନୀର ବିଷୁବ କବିତା ଆସର।
**********************
କେନ୍ଦୁଝର-୧୪/୦୪(ଖଣ୍ଡାଧାର ନିଉଜ) ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମିଳନୀ ତରଫରୁ ମଙ୍ଗଳବାର ଓଡ଼ିଆ ନବବର୍ଷ ଉପଲକ୍ଷେ ଏକ ମନୋଜ୍ଞ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଆସର ଆରମ୍ଭରେ ଓଡିଆ ନବବର୍ଷ ଉପଲକ୍ଷେ ମା'ତାରିଣୀ ଓ ରାଷ୍ଟ୍ରଦେବତା ବଳଦେବଜୀଉଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉପସ୍ଥିତ କବି ଓ ଶ୍ରୋତାମାନଙ୍କୁ ନବବର୍ଷର ଅଭିବାଦନ ଜଣାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅନୁଷ୍ଠାନର ଯୁଗ୍ମ ସଂପାଦକ କବି ହରିହର ମହାନ୍ତ । କବି ସୁଧା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତ ତଥା କବି ମଧୁସୂଦନ ମିଶ୍ର ଆଜି ଦିବସର ମହତ୍ବ ବର୍ଣ୍ଣନା କରିବା ସହିତ ଓଡିଆ ସଂସ୍କୃତିର ସୁରକ୍ଷା ସଂପର୍କରେ ଅଭିଭାଷଣ ପ୍ରଦାନ କରି ପରବର୍ତ୍ତୀ ପୀଢି ପାଇଁ ଓଡିଆ ସଂସ୍କୃତିକୁ ବଞ୍ଚାଇ ରଖିବାର ଗୁରୁଦାୟିତ୍ୱ କବିମାନଙ୍କର ବୋଲି ମତ ଦେଇଥିଲେ ।
କବି ସୁଧା ଦାଶ ନିଜ ସଭାପତିତ୍ବ ଅଭିଭାଷଣରେ ଓଡିଆ ସଂସ୍କୃତି ଉପରେ ଅପସଂସ୍କୃତିର ପ୍ରଚଣ୍ଡ ଆକ୍ରମଣ ସଂପର୍କରେ ଉଲ୍ଲେଖ କରି କ୍ଷୋଭ ପ୍ରକାଶ କରିବା ସହ ପ୍ରତ୍ୟେକ ଓଡ଼ିଆ ନିଜର ଅସ୍ମିତା ସଂପର୍କରେ ସଚେତନ ହେବା ଜରୁରୀ ବୋଲି ମତ ଦେଇଥିଲେ। ପରେ ପରେ କବି ମନ୍ଦାକିନୀ କରଙ୍କ ସଂଯୋଜନାରେ କବି ଚିନ୍ତାମଣି ମହାଳିକ, ଇନ୍ଦୁମତୀ ପାତ୍ର, ମମତାରାଣୀ ଦାସ, ସୁଜିତ ମିଶ୍ର, ଭରତଚନ୍ଦ୍ର ପାତ୍ର, ବୀଣାପାଣି ଜେନା, ଆର୍ଯ୍ୟବାଳା ମହାପାତ୍ର, ହରେକୃଷ୍ଣ ବେଜ, ବିପିନ ବିହାରୀ ମହାପାତ୍ର, ବିରଞ୍ଚିନାରାୟଣ ସାମନ୍ତରାୟ, ସୁଭଦ୍ରା ମହାନ୍ତ, ଜ୍ୟୋତ୍ସ୍ନା ପାଢୀ, ଯୋଗେନ୍ଦ୍ର ସାହୁ, ମନରଞ୍ଜନ ମହାନ୍ତି, ବସନ୍ତ କୁମାର ବାରିକ୍ ,ଭାବିପ୍ରିୟା ସାହୁ, ରାମଚନ୍ଦ୍ର ସାହୁ, ପ୍ରମୁଖ ସ୍ଵରଚିତ କବିତା ପାଠ ମାଧ୍ୟମରେ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ପରସ୍ପରକୁ ଅଭିବାଦନ ଜଣାଇଥିଲେ । ଆସର ଶେଷରେ କବି ବିରଞ୍ଚି ନାରାୟଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।