logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ଓଡ଼ିଆ ଭାଷା ପକ୍ଷ ଉଦଯାପନୀ ଉତ୍ସବ ଉତ୍ସାହର ସହ ପାଳିତ

ମାଲକାନଗିରି, (୧୪/୪): ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା ପକ୍ଷର ଉଦଯାପନୀ ଉତ୍ସବ ସହ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଂକ୍ରାନ୍ତି ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଉପ-ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଗୁରୁତ୍ୱ ଉପରେ ଅଲୋକପାତ କରିଥିଲେ।
ସେ କହିଥିଲେ ଯେ, ଓଡ଼ିଆ ଭାଷା ଆମ ସ୍ୱାଭିମାନ ଓ ପରିଚୟର ପ୍ରତୀକ। ଆମ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଆଗାମୀ ପୀଢ଼ି ପାଖରେ ପହଞ୍ଚାଇବା ପାଇଁ ମାତୃଭାଷାର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୌରୀ ନାୟକ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ ସେଠୀ, ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ ଓ ସିଡିପିଓ ରେଖା ଶୋଭା ସୁନ୍ଦର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ପ୍ରଭାସ ସେଠୀ ‘ଇଟ୍ ରାଇଟ୍’ ଅଭିଯାନ ମାଧ୍ୟମରେ ସୁସ୍ଥ ଖାଦ୍ୟ ପ୍ରତି ସଚେତନତାର ଆବଶ୍ୟକତା ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଭାଷା ସହ ଆମର ଖାଦ୍ୟ ଅଭ୍ୟାସ ମଧ୍ୟ ସଂସ୍କୃତିର ଅଭିନ୍ନ ଅଂଶ। ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ ମାତୃଭାଷା ମାଧ୍ୟମରେ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇଥିଲେ।
ଉତ୍ସବରେ ଆହାର କେନ୍ଦ୍ରରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ‘ଇଟ୍ ରାଇଟ୍’ କାର୍ଯ୍ୟକ୍ରମରେ ସଫଳତା ପାଇଁ ସମ୍ବର୍ଦ୍ଧନା ଦିଆଯାଇଥିଲା। ତଥା ଝୋଟି, ପିଠାପଣା ଓ ହୁଳହୁଳି ପ୍ରତିଯୋଗିତାରେ ଜିତୁଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ଦିଆଯାଇଥିଲା।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଓ ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ। ଅଙ୍ଗନୱାଡ଼ି କର୍ମୀମାନଙ୍କ ସହଭାଗିତା ଉତ୍ସବକୁ ଆହୁରି ରଙ୍ଗିନ କରିଥିଲା।

0
12 views

Comment