ଆଦିମ ଜନଜାତି ଜୁଆଙ୍ଗ ବ୍ରୁଦ୍ଧା ବାଲମତୀଙ୍କୁ ସରକାରୀ ସହାୟତା ସାତ ସପନ!
ଆଦିମ ଜନଜାତି ଜୁଆଙ୍ଗ ବ୍ରୁଦ୍ଧା ବାଲମତୀଙ୍କୁ ସରକାରୀ ସହାୟତା ସାତ ସପନ!
ଗୋନାସିକା: ୧୪/୦୪/୨୬- କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ ଏକ ଗାଁ - କୁଣ୍ଢେଇ। ଆଦିବାସୀ ବହୁଳ ଏକ ବଡ ବସତି। ଜିଲ୍ଲା ସଦରମହକୁମା ଠାରୁ ମାତ୍ର ସତର କିଲୋମିଟର ଦୂରରେ ଅବସ୍ଥିତ। ଏ ଗାଁ ଆସେ ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ମଧ୍ୟରେ। ଏମାନଙ୍କ ସାଂସଦ ମଧ୍ୟ ଆଦିବାସୀ ଶ୍ରେଣୀର। ବାସିନ୍ଦାଙ୍କ ମଧ୍ୟରେ ଅନେକ ହେଉଛନ୍ତି ବିରଳ ଜନଜାତି ଜୁଆଙ୍ଗ ବର୍ଗର।
ଏଇଠି ବାଲମତି ଜୁଆଙ୍ଗ ର ଘର। ତା' ଗେରସ୍ତ ଆଜିକୁ ଦଶ ବର୍ଷ ତଳୁ ଆର ପାରିକି ଚାଲିଯାଇଛି। ବାଲମତି ବିଧବା ହେବା ପରେ ପୁଅ ଉପରେ ନିର୍ଭର କରି ଚଳୁଥିଲା। ଭଗବାନଙ୍କ ଇଛା କ'ଣ କେଜାଣି , ପୁଅ ମଧ୍ୟ ଆର ପାରିକି ଚାଲିଗଲା। ଗତ ତିନି ଚାରି ବର୍ଷ ଧରି ବାଲମତି ବିଧବା ବୋହୁ ଟିକିଲି ଉପରେ ବୋଝ ସାଜିଛି।
ଚାଷ ବୋଲି କିଛି ନାହିଁ।ଏକ ପୁରୁଣା ଟାଇଲ୍ ଛପର ଘରେ ରୁହେ। ବିଗତ ଦଶ ବର୍ଷ ତଳୁ ବିଧବା ହୋଇଥିଲେ ବି ବାଲମତିକୁ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ମିଳି ନାହିଁ। ସତୁରୀ ବର୍ଷ ବୟସରେ ଏ ଗରିବ ଆଦିବାସୀ ମହିଳା ତା' ନିତିଦିନ ର ଗୁଜୁରାଣ କେମିତି ମେଣ୍ଟାଇବ, କ'ଣ ପିନ୍ଧିବ , କ'ଣ ଖାଇବ, ଔଷଧ ଖର୍ଚ୍ଚ ଆଣିବ କେଉଁଠୁ, ସେ ଚିନ୍ତା କାହାରି ନାହିଁ। ଏ ବୟସରେ ରୋଜଗାର କରିବାର ଶକ୍ତି ମଧ୍ୟ ତା'ର ନାହିଁ।
ବାଲମତି ଭତ୍ତା ପାଉନାହିଁ। ଗାଁରେ ତା'ଠୁ କମ୍ ବୟସର ଲୋକ ଭତ୍ତା ପାଆନ୍ତି। ବାଲମତି ବୁଝି ପାରୁନି - ତା'ର ଦୋଷ କ'ଣ ? ଏ ଭତ୍ତାଟା ତା'ର ଅଧିକାର, ନା ସରକାରଙ୍କ ଦୟା ? ନା ପଞ୍ଚାୟତ ଅଧିକାରୀ, ନା ବ୍ଲକ୍ ଅଧିକାରୀ କେବେ ବାଲମତିକୁ ଭେଟିଛନ୍ତି। ନା କେବେ ସେ କେମିତି ଚଳୁଛି, ଜାଣିବାକୁ ଚାହିଁଛନ୍ତି। ଗତ ଦଶ ବର୍ଷ ଧରି ବିଧାୟକଙ୍କ ପାଦ ପଡି ନାହିଁ ଏଠି। ସାଂସଦଙ୍କୁ କେହି କେବେ ଦେଖି ନାହିଁ। ଜୁଆଙ୍ଗଙ୍କ ସାମଗ୍ରିକ ବିକାଶ ପାଇଁ ଗଠିତ ଜୁଆଙ୍ଗ ଉନ୍ନୟନ ସଂସ୍ଥା ଅଧିକାରୀଙ୍କ ପାଖରେ ଏ ଖବର ନାହିଁ।
ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ଭେଟିଥିଲା ବାଲମତିକୁ। ବାଲମତି ସ୍ପଷ୍ଟ କହି ନ ପାରିଲେ ବି, ତା'ର ଭାଷାରେ, ତା'ର ମୁହଁରେ ଥିଲା ଏକାଧିକ ପ୍ରଶ୍ନ - ଗୋଟିଏ ସ୍ଵାମୀ, ପୁତ୍ର ହରା ସତୁରୀ ବର୍ଷର ବିଧବା, ଗରିବ ମହିଳା ବଞ୍ଚିବ କେମିତି? ଭତ୍ତା ଗଣ୍ଡେ ପାଇବାକୁ କ'ଣ ତା'ର ଅଧିକାର ନାହିଁ? ଏଇଟା କ'ଣ କାହାରି ଦୟା କି?ଯେତେବେଳେ ଆମପରି ଗରିବଙ୍କ ଘର ନାହିଁ, ଭତ୍ତା ନାହିଁ, ଚାଉଳ କିଣିବାକୁ ପଇସା ନାହିଁ, ଔଷଧ ପାଇଁ ଅର୍ଥ ନାହିଁ, ସେତେବେଳେ କେଉଁ ବିକାଶ କଥା ସରକାର କହୁଛନ୍ତି? କେଉଁ ସାମ୍ବିଧାନିକ ଅଧିକାରର ରକ୍ଷା କଥା କହୁଛନ୍ତି?
ବାଲମତି "ଆଶା" ମାଧ୍ୟମରେ ତା' ଦୁଃଖ ଜଣାଇଛି। "ଆଶା" ଆଶା ରଖିଛି - ଜିଲ୍ଲା ପ୍ରଶାସନ, ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଏ ଅସହାୟ ବିଧବା ଆଦିବାସୀ ମହିଳାର ଦୁଃଖ ଶୁଣିବେ। ତାକୁ ତୁରନ୍ତ ଭତ୍ତା ଯୋଗାଇ ଦେବେ। ଏକ ପକ୍କା ଘର ଯୋଗାଇ ଦେବାକୁ ପଦକ୍ଷେପ ନେବେ। ଦେଖାଯାଉ ସରକାର ଏ ବିଧବା ଅସହାୟ ଆଦିବାସୀ ମହିଳାଙ୍କ ଦୁଃଖ ଶୁଣୁଛନ୍ତି କେବେ।
ଖଣ୍ଡାଧାର ନିଉଜ- ମନୋଜ ପଟେଲଙ୍କ ରିପୋର୍ଟ।