logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଞ୍ଚମ ଦିବସରେ ମା' ତାରିଣୀଙ୍କ ଚଇତି ପର୍ବ

କେନ୍ଦୁଝର:୧୩/୦୪(ସମ୍ବିତ କୁମାର ସାହୁ) - କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା' ତାରିଣୀଙ୍କ ଚଇତି ପର୍ବର ପଞ୍ଚମ ଦିବସ ଆଜି। ଆଜି ଚଇତି ପର୍ବର ପଞ୍ଚମ ଦିବସରେ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ଛୁଟି ଆସିଛନ୍ତି ସୁନାବେଶରେ ମା' ତାରିଣୀଙ୍କୁ ଦର୍ଶନ କରିବା ପାଇଁ। ସୁନାବେଶରେ ମା' ତାରିଣୀଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣୁଛନ୍ତି ଭକ୍ତ।

ମନ୍ଦିର ଟ୍ରଷ୍ଟ ପକ୍ଷରୁ ଚଇତି ପର୍ବ ସକାଶେ ବିଶେଷ ରୀତିନୀତିରେ ମା' ଙ୍କର ପୂଜାର୍ଚ୍ଚନା କରାଯାଉଥିବା ବେଳେ, ଘଟଗାଁ ବ୍ରାହ୍ମଣ ସମାଜ ପକ୍ଷରୁ ପର୍ବ ଆରମ୍ଭରୁ ପ୍ରତିଦିନ ବ୍ରାହ୍ମ ମୁହୂର୍ତ୍ତରୁ ମନ୍ଦିର ବେଢ଼ାରେ ଦେବୀ ସ୍ତୁତି, ଚଣ୍ଡୀ ପାଠ, ଗୀତା ପାଠ, ଭାଗବତ ପାଠ କରାଯାଉଅଛି ଏବଂ ପ୍ରତିଦିନ ପାଲା ମଣ୍ଡପରେ ସତ୍ୟ ନାରାୟଣ ପୂଜା ଅନୁଷ୍ଠିତ ହେଉଅଛି।

ଆଜି ଚଇତି ପର୍ବର ପଞ୍ଚମ ଦିବସରେ ଘଟଗାଁ ତରା ଗ୍ରାମର ଧର୍ମେନ୍ଦ୍ର ରାଉତଙ୍କ ପକ୍ଷରୁ ମା' ତାରିଣୀ ମନ୍ଦିର ପରିସରରେ ସହସ୍ରାଧିକ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ ପ୍ରସାଦ ବିତରଣ କରାଯାଉଛି। ମନ୍ଦିର ପରିସରସ୍ଥ ସାଂସ୍କୃତିକ ମଣ୍ଡପରେ ଆଜି ସକାଳ ୯ ଘଟିକା ଠାରୁ ୧୧ ଘଟିକା ୩୦ ମିନିଟ ପର୍ଯ୍ୟନ୍ତ କେନ୍ଦୁଝରର ଇନ୍ଦ୍ରଧନୁ ଅନୁଷ୍ଠାନ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିବା ବେଳେ, ପୂର୍ବାହ୍ନ ୧୧.୪୫ ଠାରୁ ୨.୩୦ ଯାଏ ପ୍ରଖ୍ୟାତ ନାରୀ କଣ୍ଠଶିଳ୍ପୀ ମାନସୀ ପାତ୍ର ଏବଂ ଗ୍ରୁପ ଦ୍ଵାରା ପରିବେଷିତ ଭଜନ କାର୍ଯକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା ଏଵଂ ଅପରାହ୍ନ ୩ ଘଟିକାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡ ରାଜ୍ୟର ରଣଜିତ ମହାନ୍ତ ଗ୍ରୁପ ଦ୍ଵାରା ଝୁମର ନୃତ୍ୟରେ ସହସ୍ରାଧିକ ଦର୍ଶକ ବିଭୋର ହୋଇ ଉଠିଥିଲେ। ସେହିଭଳି ପୂରୁଣା ବସଷ୍ଟାଣ୍ଡ ସ୍ଥିତ ପାଲା ମଣ୍ଡପରେ ସନ୍ଧ୍ୟା ୫ ଘଟିକାରୁ ୬.୩୦ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ଗାୟକ ସୁଧାକର ବାଳକୃଷ୍ଣ ମିଶ୍ର ଦାସକାଠିଆ ପରିବେଷଣ କରିଥିବା ବେଳେ, ସନ୍ଧ୍ୟା ୬.୩୦ ରୁ ୯.୩୦ ଯାଏ ନୟାଗଡ଼ ଜିଲ୍ଲାର ପଣ୍ଡିତ ଗୋପାଳ ରାଜଗୁରୁ ଧର୍ମ ପ୍ରବଚନ ଦେବେ ଏବଂ ରାତ୍ର ୯.୩୦ ଠାରୁ ପ୍ରାତଃ ୫ ଘଟିକା ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ଗାୟକ ଯୁବଜ୍ୟୋତି ଧୀରେନ ମହାନ୍ତି ଏଵଂ କଟକ ଜିଲ୍ଲାର ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାସ ପାଲା ପରିବେଷଣ କରିବେ।

14
1270 views

Comment