ପିଇବା ପାଣି ପାଇଁ ଡହଳ ବିକଳ ଜଗନ୍ନାଥପୁର ଉପରସାହି ଏବଂ କଚାସାହି
ଗ୍ରାମବାସୀ
ଚମ୍ପୁଆ, ୧୩/୦୪(ହେମନ୍ତ କୁମାର ମହାନ୍ତ): କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତିପଞ୍ଚାୟତରେ ବସୁଧା ପାଣି ଟାଙ୍କି ନିର୍ମାଣ କରିଛନ୍ତି। ପ୍ରତି ଘରକୁ ପାଇପ ଲାଇନ ମଧ୍ୟ ସଂଯୋଗ କରାଯାଇଛି। ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଦାୟିତ୍ୱ ହୀନତା ଏବଂ ଅଧିକାରୀମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ପାନୀୟ ଜଳ ଯୋଗାଣ ଏକ ପ୍ରହସନରେ ପରିଣତ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ମଧ୍ୟ ସ୍ୱଚ୍ଛ ପାନୀୟ ଜଳ ଟୋପାଏ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡସ୍ଥ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଗୁଣ୍ଡୁଣିଆ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ। ଏହି ଗ୍ରାମକୁ ଇଚିଣ୍ଡା ପାଣିଟାଙ୍କିରୁ ପାଣି ଯୋଗାଣ ନିମନ୍ତେ ପାଇପ ସଂଯୋଗ ତ ହୋଇଛି ହେଲେ ପାଇପ ସଂଯୋଗ ହେବାର ଏକ ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଣିର ବାସ୍ନା ପାଇନାହାନ୍ତି ଜଗନ୍ନାଥପୁର ଗ୍ରାମର ଉପରସାହି ଏବଂ କଚାସାହି ବାସୀନ୍ଦା । ଏହି ଦୁଇ ସାହିରେ ପ୍ରାୟ ୭୦ ଆଦିବାସୀ ପରିବାର ରହୁଥିବା ବେଳେ ଏଠାରେ ଏକ ମାତ୍ର ନଳକୂପ ତାଙ୍କର ସାହା ଭରସା। ଫଳରେ ପିଇବା ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ସାହିବାସୀ। ଆଶା ଥିଲା ବସୁଧା ଯୋଜନାରେ ସାହିର ଜଳ ସମସ୍ୟା ଦୂରହେବ। କିନ୍ତୁ ଆକାଶ କଇଁ କୁ ଚିଲିକା ମାଛ ପରି ପାଇପ ସଂଯୋଗର ଦୀର୍ଘ ଦିନ ପରେବି ସାହିକୁ ପାଣି ଯୋଗାଇ ଦିଆ ଯାଇ ନ ଥିବାରୁ ଏହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସାହିର ପାଣି ସମସ୍ୟା ଦୂର କରିବାକୁ ଦାବୀ ହେଉଛି।