ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ବ୍ଯାପକ ଅବ୍ୟବସ୍ଥା
ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମରେ ବ୍ଯାପକ ଅବ୍ୟବସ୍ଥା
କେନ୍ଦୁଝର,୧୨/୪ : (ଖଣ୍ଡାଧାର ନିଉଜ ବ୍ୟୁରୋ) ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର ପତ୍ର ଅନୁଯାୟୀ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ଦକ୍ଷିଣ କ୍ୟାମ୍ପସରେ ଅନୁଷ୍ଠିତ ହୋଇଥିବା "ବନ୍ଦନୀୟ ବରପୁତ୍ର" କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ରେ ଘୋର ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। ପ୍ରଥମତଃ କାର୍ଯ୍ୟକ୍ରମର ସଠିକ ସ୍ଥାନ ବା ଠିକଣା ଚିଠିରେ ଉଲ୍ଲେଖ କରାଯାଇ ନଥିବାରୁ ଅଧିକାଂଶ କବି, ଆଲୋଚକ ପୁରୁଣା ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଯାଇ ପୁନଶ୍ଚ ପୁରୁଣା ବଜାର ପାଖ ସିଦ୍ଧମଠକୁ ଆସିବା ଓ ଖର୍ଚ୍ଚାନ୍ତ ହେବା ଏକ ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି। କେନ୍ଦୁଝର କେନ୍ଦ୍ରସ୍ଥଳରେ ଟାଉନ୍ ହଲ୍, ଦରବାର ହଲ୍ , ଅଡିଟୋରିୟମ ଓ ମଣ୍ଡୁଆ ଠାରେ ସଂସ୍କୃତି ଭବନ ଥିବା ସତ୍ତ୍ବେ ଯାତାୟାତର କୌଣସି ସୁବିଧା ନଥାଇ ଆୟୋଜକ ଧରଣୀଧର ବିଶ୍ୱବିଦ୍ୟାଳୟ ଦକ୍ଷିଣ କ୍ୟାମ୍ପସକୁ କିପରି ଚୟନ କଲେ? ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୁନଶ୍ଚ ଦକ୍ଷିଣ କ୍ୟାମ୍ପସ ଭିତରେ ପୋଷ୍ଟର ବା ବ୍ୟାନର ମାଧ୍ୟମରେ ଆଜିର କାର୍ଯ୍ୟକ୍ରମ ସୂଚନା ନଥିବାରୁ ଅନେକ ଦ୍ବନ୍ଦରେ ପଡିଥିଲେ ବୋଲି ଜଣାପଡ଼ିଛି। ଆୟୋଜକ ଜିଲ୍ଲା ପ୍ରଶାସନ ଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲାରେ ଅନେକ ଗୁଣି ଜ୍ଞାନୀ ସାଧକ ସାଧିକା ମାନଙ୍କୁ ଅଣଦେଖା କରି କେବଳ ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେନ୍ଦୁଝର ଶାଖାର କର୍ମକର୍ତ୍ତା ବୃନ୍ଦ ଙ୍କୁ ମଞ୍ଚାସିନ କରିବା ଯୁକ୍ତିଯୁକ୍ତ କି! ଏହି ଅବସରରେ ସଂଯୋଗୀ ସଜଫୁଲର ସଂପାଦକ ଶ୍ରୀ ବାବୁଲାଲ ପଲେଇ ତାଙ୍କର ବକ୍ତବ୍ୟ ଛଳରେ କେନ୍ଦୁଝରର ପୂର୍ଣ୍ଣାଙ୍ଗ ଇତିହାସ ପାଇବାକୁ ହେଲେ ଗାଁ ଗାଁ ବୁଲି ଆହୁରି ଗବେଷଣାର ଆବଶ୍ୟକତା ରହିଛି ବୋଲି ଆହ୍ବାନ କରିଛନ୍ତି। କେନ୍ଦୁଝର ଜିଲ୍ଲାର କେବଳ ଜଣକୁ ବରପୁତ୍ର ରୂପେ ସ୍ଥାନ ମିଳିଥିବାରୁ ଗବେଷକ ନିରଞ୍ଜନ ବାରିକ ସଭାରେ କ୍ଷୋଭ ପ୍ରକାଶ କରିଥିଲେ। ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଧନ୍ୟବାଦ୍ ଅର୍ପଣ କରିଥିଲେ, ଡ଼ ଶୁଭସ୍ମିତା ଦାଶ ଏବଂ କବିତା ସଂଯୋଜନା କରିଥିଲେ କବୟିତ୍ରୀ ଇନ୍ଦୁମତୀ ପାତ୍ର ଓ ଶୋଭନା ଜେନା। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ "ବନ୍ଦନୀୟ ବରପୁତ୍ର" କାର୍ଯ୍ୟକ୍ରମ ରେ ପାତରଅନ୍ତର ଏବଂ ଲେଖକ ଓ କବିମାନଙ୍କ ମଧ୍ଯରେ ଗୋଷ୍ଠୀ ବିଭାଜନ କରିଥିବା ଜାଣିବା ପାଇଁ ମିଳିଅଛି। ଯଦ୍ବାରା ଜିଲ୍ଲା ପ୍ରଶାସନର ଏପରି ଦାୟିତ୍ୱ ହୀନର ପରିଚୟ ପଦାରେ ପଡିଯାଇଛି। ସାରା ରାଜ୍ୟରେ କେନ୍ଦୁଝର ଜିଲ୍ଲାର ଗୌରବ, ଐତିହ୍ୟ, ସଂସ୍କୃତି ଏବଂ ଲେଖକ, କବିମାନଙ୍କର କୀର୍ତ୍ତି ଓ ମର୍ଯ୍ୟାଦା ଅକ୍ଷୁର୍ଣ୍ଣ ରହିଥିବା ବେଳେ ଜିଲ୍ଲା ପ୍ରଶାସନର ଦାୟିତ୍ୱ ହୀନତା ରୁ ତାହା କ୍ଷୁର୍ଣ୍ଣ କରାଯାଇଛି ବୋଲି ବିଦ୍ବାନମାନଙ୍କ ମହଲରେ ସମାଲୋଚିତ ହେଇଥିବା ଜାଣିବା ପାଇଁ ମିଳୁଅଛି।
ଭବିଷ୍ୟତରେ ଜିଲ୍ଲା ପ୍ରଶାସନ ତରଫରୁ ଏହିଭଳି ମହତ ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟକ୍ରମ ଆୟୋଜନ କରିବା ସମୟରେ ଉପରୋକ୍ତ ସମସ୍ୟା ପ୍ରତି ସୁଧାର କ୍ଷେତ୍ରରେ ସୁବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ କରିବା ସହିତ ପ୍ରତ୍ୟେକ ବ୍ଲକରେ ପ୍ରତିଷ୍ଠିତ ସାହିତ୍ଯାନୁଷ୍ଠାନ ଗୁଡ଼ିକ ଜରିଆରେ ଆୟୋଜନ କରାଗଲେ ସରକାରୀ କାର୍ଯ୍ୟକ୍ରମ ଗୁଡିକର ସୁଦୂରପ୍ରସାରୀ ପ୍ରଭାବ ପଡିବା ସହ ବହୁଳ ଭାବରେ ପ୍ରଚାର ପ୍ରସାର ହୋଇପାରନ୍ତା।
ଉପସ୍ଥାପନା ବାବୁଲାଲ ପଲେଇ,ଆଇମା ମିଡିଆ
ମୋବାଇଲ୍: ୯୪୩୭୧୫୨୯୩୬