ଓଡ଼ିଆ ପକ୍ଷର ଦ୍ୱାଦଶ ଦିବସରେ “ବନ୍ଦନୀୟ ବରପୁତ୍ର” ଉପରେ ଆଲୋଚନାଚକ୍ର ଅନୁଷ୍ଠିତ
ଦେବଗଡ଼, ତା ୧୨/୦୪/୨୦୨୬ ରିଖ :– ଓଡ଼ିଆ ପକ୍ଷ ପାଳନ ଅବସରରେ ଦ୍ୱାଦଶ ଦିବସ ଉପଲକ୍ଷେ ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ “ବନ୍ଦନୀୟ ବରପୁତ୍ର” ମାନଙ୍କ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।
ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ, ଉପଜିଲ୍ଲାପାଳ ପରକ୍ଷିତ ସାହୁ ସଭାପତି ଭାବେ ଏବଂ ପୂର୍ବତନ ବିଧାୟକଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଭାରପାପ୍ତ ପୌର ପରିଷଦ ଅଧ୍ୟକ୍ଷ ପ୍ରଜିତ ଭୋଜ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷାର ଗଠନ ଓ ଉନ୍ନତିରେ ଓଡ଼ିଶାର ବନ୍ଦନୀୟ ବରପୁତ୍ରମାନଙ୍କ ଅବଦାନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜିଲ୍ଲାର ବିଭିନ୍ନ କବି, କବିୟତ୍ରି, ଲେଖକ ଓ ଲେଖିକାମାନେ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ ସହିତ ବରପୁତ୍ରମାନଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।
ଏହି ଅବସରରେ ବିଭିନ୍ନ ବକ୍ତାମାନେ ରାମଚନ୍ଦ୍ର ଭଞ୍ଜ, ରାଜା ସାର୍ ବାସୁଦେବ ସୁଢ଼ଳଦେବ, ଜଳନ୍ଧର ଦେବ, ସଚ୍ଚିଦାନନ୍ଦ ଦେବ, କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର, ମାଳତୀ ଚୌଧୁରୀ, ସୁଲୋଚନା ଦେଇ, ଗଜପତି କୃଷ୍ଣଚନ୍ଦ୍ର ଦେବ, ଆଶା କୁମାରୀ ଦେବୀ, ସରଳା ଦେବୀ, କୁନ୍ତଳା କୁମାରୀ ସାବତ, ସ୍ୱଭାବ କବି ଗଙ୍ଗାଧର ମେହେର ଓ ମଧୁସୂଦନ ଦାସଙ୍କ ଜୀବନ ଓ ଅବଦାନ ଉପରେ ମତପ୍ରକାଶ କରିଥିଲେ।
ପରେ, ଓଡ଼ିଆ ପକ୍ଷ ପାଳନ ଅବସରରେ ଆୟୋଜିତ ବରପୁତ୍ରଙ୍କ ସ୍ମୃତିଚାରଣ ଓ ସାରସ୍ୱତ ସାହିତ୍ୟିକ ସମାବେଶରେ ଅଂଶଗ୍ରହଣ କରିଥିବା ସଭ୍ୟମାନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମକୁ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଚିତ୍ତରଞ୍ଜନ ଦାସ ସଂଯୋଜନା କରିଥିବାବେଳେ, ଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋରଞ୍ଜନ ସୂତାର ଧନ୍ୟବାଦ ଜଣାଇଥିଲେ।