ସାହାରପଡା କୃଷି କାର୍ଯ୍ୟାଳୟ ରେ ଆମ ବିହନ ରଥ ସଚେତନତା ଶିବିର।
ସାହାରପଡା କୃଷି କାର୍ଯ୍ୟାଳୟ ରେ ଆମ ବିହନ ରଥ ସଚେତନତା ଶିବିର।
ପାଟଣା:୧୦/୦୪,ଚାଷୀଙ୍କ ନିକଟରେ ଉନ୍ନତମାନର ବିହନ ଓ ସରକାରୀ ଯୋଜନା ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ‘ଆମ ବିହନ ରଥ’ (Seeds on Wheel) କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସଚେତନତା ଶିବିର କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତର ପଞ୍ଚାୟତିରାଜ ପ୍ରତିନିଧି, ପ୍ରଗତିଶୀଳ ଚାଷୀମାନେ ଏବଂ କୃଷି ଓ ଆନୁସଙ୍ଗିକ ବିଭାଗ ର କର୍ମଚାରୀ ମାନେ ଯୋଗ ଦେଇଥିଲେ। ଏହି ସଭାରେ କେନ୍ଦୁଝର କୃଷି ଜିଲ୍ଲା ଅଧିକାରୀ ବିଶ୍ଵଜୟୀ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ‘ଆମ ବିହନ ରଥ’ କାର୍ଯ୍ୟକ୍ରମର ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଚାଷୀମାନେ କିଭଳି ସହଜରେ ଉନ୍ନତ ମାନର ଅଧିକ ଅମଳକ୍ଷମ ବିହନ ପାଇପାରିବେ ଏବଂ ଆଧୁନିକ ପ୍ରଣାଳୀରେ ଚାଷ କରି ନିଜର ଆୟ ଦ୍ଵିଗୁଣିତ କରିପାରିବେ, ସେ ସମ୍ପର୍କରେ ସେ ପରାମର୍ଶ ଦେଇଥିଲେ। ସହକାରୀ ଉଦ୍ୟାନ କୃଷି ଅଧିକାରୀ ସସ୍ମିତା ନାୟକ, ମତ୍ସ୍ୟ ସମ୍ପଦ: ସହକାରୀ ମତ୍ସ୍ୟ ଅଧିକାରୀ ସୂରଜ କୁମାର ପ୍ରଧାନ ଓ ମୃତ୍ତିକା ସଂରକ୍ଷଣ: ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଚନ୍ଦନ କୁମାର ରାଉତ କାର୍ଯ୍ୟକ୍ରମରେ ଯୋଗଦେଇ କୃଷି ଓ ଆନୁସଙ୍ଗିକ ବିଭାଗ ର ବିଭିନ୍ନ ସରକାରୀ ଯୋଜନା ଓ ରିହାତି ସମ୍ପର୍କ ରେ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ସାହାରପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୀନା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାଷୀମାନଙ୍କ ହିତ ପାଇଁ ସରକାରଙ୍କ ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। ଚାଷୀମାନେ ସଚେତନ ହେଲେ ହିଁ ପ୍ରକୃତ ବିକାଶ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ। ସାହାରପଡ଼ା ବ୍ଲକ କୃଷି ଅଧିକାରୀ ତନୟା ସାହୁ ଏବଂ ତାଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଛି। ଶେଷରେ ଉପସ୍ଥିତ ଜନପ୍ରତିନିଧି ଓ ଚାଷୀମାନଙ୍କ ପ୍ରଶ୍ନର ଉତ୍ତର ଦିଆଯାଇ ସେମାନଙ୍କ ସମସ୍ୟାର ସମାଧାନ କରାଯାଇଥିଲା।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।