ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀ ଗୁରୁତ୍ତର ବରପାଲିରେ ଉତ୍ତେଜନା
ବରଗଡ ଜିଲ୍ଲା ନିଶାସକ୍ତ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା କେତେବେଳେ ଯେ କାହା ପାଇଁ କାଳ ହେବ, ତାହା କହିବା ମୁସ୍କିଲ। ପରୀକ୍ଷା ଦେଇ ଫେରୁଥିବା ଜଣେ ମେଧାବୀ ଛାତ୍ରୀ ଆଜି ଏଭଳି ଏକ ଅଘଟଣର ଶିକାର ହୋଇଛନ୍ତି। କ’ଣ ଏହି ସବୁ ଦୁର୍ଘଟଣା ପାଇଁ କେବଳ ଟ୍ରାକ୍ଟର ଚାଳକ ଦାୟୀ ନା ବିନା ନମ୍ବର ପ୍ଲେଟ୍ରେ ଗାଡ଼ି ଚଲାଉଥିବା ମିଲ୍ ମାଲିକ ମଧ୍ୟ ସମାନ ଦୋଷୀ?
ବରଗଡ଼ ଜିଲ୍ଲା ବରପାଲି ସହରର ଜଗବନ୍ଧୁ ଦାସ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଆଜି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। କୁସନପୁରୀ ଗ୍ରାମର ସୁରୁଚି ମେହେର ନାମକ ଜଣେ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ପରୀକ୍ଷା ସାରି କଲେଜ ଗେଟ୍ ପାଖରେ ଛିଡ଼ା ହୋଇଥିବା ବେଳେ, ଏକ ନମ୍ବର ବିହୀନ ଟ୍ରାକ୍ଟର ବିପରୀତ ଦିଗରୁ ଆସି ତାଙ୍କୁ ସଜୋରରେ ଧକ୍କା ଦେଇଥିଲା। ସ୍ଥାନୀୟ ମହାଲକ୍ଷ୍ମୀ ରାଇସ ମିଲ୍ର ଏହି ଟ୍ରାକ୍ଟରଟିର କୌଣସି ବୈଧ କାଗଜପତ୍ର ନଥିବା ବେଳେ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡ଼ିଛି।
ଗୁରୁତ୍ତର ଅବସ୍ଥାରେ ସୁରୁଚିଙ୍କୁ ପ୍ରଥମେ ବରପାଲି ଡାକ୍ତରଖାନା ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଲୋକେ ବରଗଡ଼-ବରପାଲି ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ ପହଞ୍ଚି ଚାଳକକୁ ଗିରଫ କରିବା ସହ ଟ୍ରାକ୍ଟର ଜବତ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଏତେବଡ଼ ଦୁର୍ଘଟଣା ପରେ ମଧ୍ୟ ରାଇସ ମିଲ୍ ମାଲିକ ଘଟଣାସ୍ଥଳକୁ ନ ଆସିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।