କାଲିମେଳାରେ ରକ୍ତରଞ୍ଜିତ ଘଟଣା: ଧନୁତୀର ଓ ପଥରରେ ଆକ୍ରମଣ, ଯୁବକ ଗୁରୁତର l
ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରୁ ଏକ ଚମକଦାର ଓ ଭୟାବହ ଘଟଣା ସାମ୍ନାକୁ ଆସିଛି। ମହୁଲ ଗୋଟେଇବାକୁ ଯାଇଥିବା ଜଣେ ଯୁବକଙ୍କୁ ଧନୁତୀର ଓ ପଥରରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଏହି ଘଟଣା ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି।
ସୂଚନା ଅନୁସାରେ, କାଲିମେଳା ଥାନା ଅନ୍ତର୍ଗତ ମାଙ୍ଗିପାଲି ଗ୍ରାମରେ ଜମିଜମା ବିବାଦକୁ ନେଇ ଏହି ରକ୍ତରଞ୍ଜିତ ଘଟଣା ଘଟିଛି। ଆକ୍ରାନ୍ତ ଯୁବକଙ୍କ ନାମ ବୁଧିନାଥ କବାସୀ ବୋଲି ଜଣାପଡ଼ିଛି। ସେ ମହୁଲ ଗୋଟେଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ।
ଆକ୍ରମଣକାରୀମାନେ ଧନୁତୀର ଓ ପଥର ବ୍ୟବହାର କରି ବୁଧିନାଥଙ୍କୁ ଗୁରୁତର ଭାବେ ଆହତ କରିଥିଲେ। ଘଟଣାସ୍ଥଳରୁ ସେ ରକ୍ତାକ୍ତ ଅବସ୍ଥାରେ ଖସି ଯାଇ ପ୍ରଥମେ କାଲିମେଳା ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣାରେ ଭିମା କବାସୀ, ସୋମନାଥ କବାସୀ ଓ ଲକ୍ଷ୍ମଣ କବାସୀଙ୍କୁ ଅଭିଯୁକ୍ତ ଭାବେ ପୋଲିସ ଚିହ୍ନଟ କରିଛି। ଆକ୍ରାନ୍ତଙ୍କ ସ୍ତ୍ରୀ ସୁକାନ୍ତି କବାସୀ କାଲିମେଳା ଥାନାରେ ଏହା ସମ୍ପର୍କରେ ଏତଲା ଦାଖଲ କରିଛନ୍ତି।
ଏତଲା ଆଧାରରେ ପୋଲିସ ତତ୍କ୍ଷଣାତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣା ପଛରେ ଥିବା ସଠିକ କାରଣ ଓ ଅନ୍ୟାନ୍ୟ ସମ୍ଭାବ୍ୟ ତଥ୍ୟ ଖୋଜିବାକୁ ପୋଲିସ ତଦନ୍ତକୁ ଆହୁରି ତେଜ କରିଛି।
ଏହି ଘଟଣା ପରେ ଗ୍ରାମବାସୀଙ୍କ ମନରେ ଭୟ ଓ ଅସ୍ଥିରତା ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶାନ୍ତି ଓ କାନୁନ-ଶୃଙ୍ଖଳା ରକ୍ଷା ପାଇଁ ପ୍ରୟାସ ଜାରି ରହିଛି l