logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭଟଲି ବ୍ଲକ୍ ଅଫିସ୍ ପରିସରରେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ

ଭଟଲି: ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୋମବାର ସକାଳେ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହେବା ସହ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକଜଣକ ସମ୍ବଲପୁର ସହର ଗୋବିନ୍ଦତୋଳା ଅଞ୍ଚଳର ଲଳିତ ଭୋଇ (୫୨) ବୋଲି ଚିହ୍ନଟ ହୋଇଛନ୍ତି।

ସୂଚନା ଅନୁସାରେ, ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା 'ମିସନ ଶକ୍ତି କାଫେ' ନିକଟସ୍ଥ ଏକ ହୋଡିଂରେ ନୂଆ ବ୍ୟାନର ଲଗାଇବା ପାଇଁ ଲଳିତ ଓ ଅନ୍ୟ ଜଣେ ଶ୍ରମିକ ସମ୍ବଲପୁରରୁ ଆସିଥିଲେ। ଲଳିତ ହୋଡିଂ ଉପରକୁ ଚଢ଼ିବା ସମୟରେ ଅସାବଧାନତା ବଶତଃ ଉପର ଦେଇ ଯାଇଥିବା ୩୩ କେଭି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ବିଦ୍ୟୁତ୍ ଆଘାତ ଏତେ ଭୟଙ୍କର ଥିଲା ଯେ, ସେ ଦେଖୁ ଦେଖୁ ଜଳିଯାଇ ତଳେ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଭଟଲି ଥାନାରେ କେସ୍ ନଂ ୮/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ପ୍ରଶାସନିକ ଅବହେଳା ଉପରେ ପ୍ରଶ୍ନବାଚୀ:

ଏହି ଦୁର୍ଘଟଣା ପରେ ବ୍ଲକ୍ ପ୍ରଶାସନର ଭୂମିକାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ବିଡିଓ ପ୍ରମୋଦ ଚନ୍ଦ୍ର ମେହେର ଏହି ଘଟଣା ବାବଦରେ ଅଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କେଉଁ ବ୍ୟାନର ଓ କାହା ନିର୍ଦ୍ଦେଶରେ ଏହି କାମ ଚାଲିଥିଲା ସେ ବିଷୟରେ ସେ ଅବଗତ ନୁହନ୍ତି। ଯଦି ବ୍ଲକ୍ ପରିସରରେ ସରକାରୀ ଯୋଜନାର ବ୍ୟାନର ଲଗାଯାଉଥିଲା, ତେବେ ବିଡିଓ କିପରି ଏହା ଜାଣିନଥିଲେ? ବିନା ସୁରକ୍ଷା ବ୍ୟବସ୍ଥାରେ ଏବଂ ବିପଜ୍ଜନକ ବିଦ୍ୟୁତ୍ ତାର ନିକଟରେ କାମ କରିବା ପାଇଁ କିଏ ଅନୁମତି ଦେଇଥିଲା?

ଏଭଳି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ସହ ମୃତ ଶ୍ରମିକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି।

12
1173 views

Comment