ବାପାଙ୍କ ଚିଠ
ରଚନା - ସୁଶ୍ରୀ ପୁଷ୍ପଲତା ମୁଣ୍ଡା
"ବାପାଙ୍କ ଚିଠି "
କୁମାରୀ ପୁଷ୍ପଲତା ମୁଣ୍ଡା
ଗୋଟିଏ ଛୋଟିଆ ଗାଁ 'ରେ ମୀରା ତାଙ୍କର ଗରିବ ବାପା ଓ ମାଆ ସହିତ ବସବାସ କରୁଥିଲା। ଘରଟି ଛୋଟ ହେଲେ ମଧ୍ୟ ସେଠାରେ ଅଭାବ ଓ ଚିନ୍ତାର ଛାୟା ସବୁବେଳେ ଲାଗି ରହୁଥିଲା। ତଥାପି ମୀରାର ସ୍ୱପ୍ନ ବହୁତ ବଡ଼ ଥିଲା। ସେ ଡାକ୍ତରାଣୀ ହୋଇ ଗରିବ ଓ ଅସହାୟ ଲୋକଙ୍କର ସେବା କରିବାକୁ ଚାହୁଁଥିଲା।
ତାଙ୍କ ବାପା ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଘରର ଅବସ୍ଥା ଏମିତି ଯେ, ଠିକ୍ ଭାବରେ ଚିକିତ୍ସା କରାଇବା ମଧ୍ୟ ସମ୍ଭବ ହେଉନଥିଲା। ମାଆ ସବୁବେଳେ ଚିନ୍ତାରେ ଡୁବି ରହୁଥିଲେ। ଏହି ସମସ୍ତ କଷ୍ଟ ସତ୍ତ୍ୱେ ମୀରା କେବେ ନିଜ ପଥରୁ ଭ୍ରମିତ ହୋଇନଥିଲା। ସେ ମନ ଲଗାଇ ପାଠ ପଢୁଥିଲା ଓ ଶ୍ରେଣୀରେ ସବୁବେଳେ ଭଲ ଫଳାଫଳ ଆଣୁଥିଲା।
ଦିନେ ତାଙ୍କର ପରିଶ୍ରମ ଫଳ ଦେଲା। ସେ ସ୍କଲାରସିପ୍ ପାଇଲା ଏବଂ ଏକ ଭଲ ଡାକ୍ତରୀ କଲେଜରେ ପଢିବାର ସୁଯୋଗ ମିଳିଲା। ସେ ଦିନ ମୀରା ପାଇଁ ସବୁଠାରୁ ଖୁସିର ଦିନ ଥିଲା। ତାର ସ୍ୱପ୍ନ ମନେ ହେଲା ଏବେ ସତ୍ୟ ହେବାକୁ ଯାଉଛି।
କିନ୍ତୁ ଭାଗ୍ୟ ଅନ୍ୟ କିଛି ଲେଖିଥିଲା। ସେହି ସମୟରେ ବାପାଙ୍କର ଅବସ୍ଥା ହଠାତ୍ ଅତ୍ୟନ୍ତ ଖରାପ ହୋଇଗଲା। ଘରରେ ଅନ୍ଧକାର ଓ ଭୟର ପରିବେଶ ଛାଇଗଲା। ମାଆଙ୍କର ଆକୁଳ କ୍ରନ୍ଦନ ମୀରାର ମନକୁ ଭାଙ୍ଗିଦେଲା। ଏକ ପଟେ ତାର ସ୍ୱପ୍ନ, ଅନ୍ୟ ପଟେ ତାଙ୍କର ବାପାଙ୍କ ଜୀବନ—ସେ ଦ୍ୱନ୍ଦ୍ୱରେ ପଡ଼ିଗଲା।
ଶେଷରେ ମୀରା ନିଜ ସ୍ୱପ୍ନକୁ ପଛକୁ ରଖି ବାପାଙ୍କ ପାଖରେ ରହିବାକୁ ନିଷ୍ପତ୍ତି ନେଲା। ସେ ସ୍କଲାରସିପ୍ ଛାଡ଼ିଦେଲା। କିନ୍ତୁ ଟଙ୍କା ଅଭାବରୁ ଠିକ୍ ଚିକିତ୍ସା ନ ମିଳିବାରୁ କିଛି ଦିନ ପରେ ବାପା ପରଲୋକକୁ ପ୍ରୟାଣ କଲେ। ସେହି ସହିତ ମୀରାର ସମସ୍ତ ସ୍ୱପ୍ନ ମଧ୍ୟ ନିରବରେ ଭାଙ୍ଗିଗଲା।
ବାପାଙ୍କ ମୃତ୍ୟୁ ପରେ ଗୋଟେ ଦିନ ମାଆ ମୀରାକୁ ଗୋଟିଏ ଚିଠି ଦେଲେ। ସେ ଚିଠିଟି ବାପା ତାଙ୍କ ପାଇଁ ଲେଖିଥିଲେ। କମ୍ପିତ ହାତରେ ମୀରା ଚିଠିଟି ଖୋଲି ପଢିଲା—
"ମୋର ପ୍ରିୟ ଝିଅ, ତୁ ତୋ ସ୍ୱପ୍ନକୁ କେବେ ଛାଡ଼ି ଦେବୁନି। ମୋର ଶେଷ ଇଚ୍ଛା—ତୁ ଗୋଟିଏ ଭଲ ଡାକ୍ତରାଣୀ ହେବୁ ଓ ମୋର ନାମ ଉଜ୍ଜ୍ୱଳ କରିବୁ।"
ଏହା ପଢି ମୀରାର ଆଖିରୁ ଲୁହ ଝରିପଡ଼ିଲା। କିନ୍ତୁ ସେତେବେଳେ ସମୟ ତାଙ୍କ ହାତରୁ ସରିଯାଇଥିଲା। କିଛି ସ୍ୱପ୍ନ ଏମିତି ଥାଏ, ଯାହାକୁ ଆମେ ଚାହିଲେ ମଧ୍ୟ ପୁଣି ଫେରାଇ ପାରୁନାହୁଁ।
ଆଜି ମୀରା ଗାଁର କୁନି କୁନି ପିଲାମାନଙ୍କୁ ପାଠ ପଢ଼ାଉଛି। ସେମାନଙ୍କ ଆଖିରେ ସେ ନିଜର ସେହି ଅପୂର୍ଣ୍ଣ ସ୍ୱପ୍ନକୁ ଦେଖେ ଓ ସେହି ସ୍ୱପ୍ନମାନେ ତାଙ୍କୁ ଆଗକୁ ବଞ୍ଚିବାର ଶକ୍ତି ଦେଇଥାଏ।
, ଭଣ୍ଡା,କେନ୍ଦୁଝର-୭୫୮୦୪୪
ସୌଜନ୍ଯ - ଡମ୍ବରୁ ମହାନ୍ତ
ଉପସ୍ଥାପନା ବାବୁଲାଲ ପଲେଇ ଆଇମା ମିଡିଆ
ମୋବାଇଲ୍ : ୯୪୩୭୧୫୨୯୩୬