ଶ୍ରୀରାମ ନବମୀରେ ରାମମୟ ଦାମନଯୋଡ଼ି
ଦାମନଯୋଡ଼ି,୨୭/୦୩:ଶ୍ରୀରାମ ନବମୀ ପାଇଁ ଦାମନଯୋଡ଼ିର ମହାବୀର ଯୁବକ ସଂଘ ପକ୍ଷରୁ ମାଥାଲପୁଟ ସ୍ଥିତ ଶ୍ରୀରାମଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାନୀତି ଓ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଜୟପୁର ରାଜା ଶ୍ରୀଶ୍ରୀ ବିଶ୍ୱେଶ୍ୱର ଚନ୍ଦ୍ରଚୂଡ଼ଦେବ ଚଳିତ ବର୍ଷ ସ୍ଵତନ୍ତ୍ର ଅତିଥି ରୂପେ ଯୋଗ ଦେଇଥିଲେ।ସ୍ୱତନ୍ତ୍ର ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ମହାବୀର ଯୁବକ ସଂଘ ପକ୍ଷରୁ ମଧ୍ୟ ଦାମନଯୋଡ଼ିର ବିଭିନ୍ନ ସ୍ଥାନରେ ପ୍ରଭୁ ଶ୍ରୀରାମ ଓ ରାମଭକ୍ତ ଶ୍ରୀ ହନୁମାନଙ୍କ ବଡ଼ ବଡ଼ ତୋରଣ,ଫଟୋ ଓ ପତାକା ଟଙ୍ଗା ଯାଇଥବା ଦେଖାଯାଇଥିଲା।ସେହିପରି ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଶ୍ରୀରାମ ନବମୀ ଆନନ୍ଦ ଉତ୍ସାହର ସହିତ ପାଳିତ ହୋଇଯାଇଛି।ନାଲକୋ ଟାଉନସିପ ସେକ୍ଟର-୧ ସ୍ଥିତ ମାରୁତି ମଣ୍ଡପ ଠାରେ ଶ୍ରୀରାମନବମୀ ଉତ୍ସବ ୯ଦିନ ଧରି ପାଳିତ ହୋଇଯାଇଛି।ବିଭିନ୍ନ ଦିବସରେ ଗୀତା ଯଜ୍ଞ,ଶ୍ରୀରାମ ସୀତାଙ୍କ ବିବାହ ଉତ୍ସବ,ସୁନ୍ଦରାକଣ୍ଡ,ହନୁମାନ ଯଜ୍ଞ,ଚଣ୍ଡୀ ଯଜ୍ଞ ଆଦି ଅନୁଷ୍ଠିତ ହୋଇଥିଲା।ଶୁକ୍ରବାର ବିଶ୍ଵଶାନ୍ତି ମହାଯଜ୍ଞ,ଶ୍ରୀରାମ ନବମୀ ଓ ଅଭିଷେକ ଉତ୍ସଵ ସହିତ ସନ୍ଧ୍ୟାରେ ପୂର୍ଣ୍ଣାହୂତି ଓ ସମୂହ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା।ପୂଜକ ପଣ୍ତିତ ବଳରାମ ଦାଶ,ଜଗନ୍ନାଥ ପଣ୍ଡା,ରାମ କିଙ୍କର ଦାଶ,ବିବେକାନନ୍ଦ ପଣ୍ଡା ଓ ମହେନ୍ଦ୍ର କୁମାର ମିଶ୍ର ପୂଜାକାର୍ଯ୍ୟ କରିଥିଲେ।କେ.ଚଣ୍ଡିପ୍ରସାଦ ରାଓ ଓ ତାଙ୍କ ଧର୍ମପତ୍ନୀ କେ.ଭବାନୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ଶ୍ରୀରାମନବମୀ ପୂଜାକମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଅନାମ ଚରଣ ନାୟକ,କୋଷାଧ୍ୟକ୍ଷ ଲମ୍ବୋଦର ସ୍ୱାଇଁ ଓ ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ବେହେରାଙ୍କ ସହିତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଓ ଭିଏସଏସ ଆନନ୍ଦ, ମୁଖ୍ୟ ମହାପ୍ରବନ୍ଧକ ସୁଗତୋ ଆନନ୍ଦ ବାସୁ,ଏମଆର ପଣ୍ଡା,ବିଛନ୍ଦ ଚରଣ ଦାଶ,ଦିଲ୍ଲୀପ ବାଗ,ନଗେନ ବେହେରା ଓ ଏନଏସ ସୁଧାକର,ମହାପ୍ରବନ୍ଧକ ଅଭିମନ୍ୟୁ ସାହୁ,ଉମା ମହେଶ ଓ ପ୍ରଦୀପ କୁମାର ସରକାର ପ୍ରମୁଖଙ୍କ ସମେତ ବହୁ ଶ୍ରଦ୍ଧାଳୁ ପୂର୍ଣ୍ଣାହୂତି ସମୟରେ ଉପସ୍ଥିତ ଥିଲେ।ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସେକ୍ଟର ୨ ହନୁମାନ ବାଟିକାରେ ଶ୍ରୀଅଭୟ ଆଞ୍ଜେନେୟଙ୍କ ପୂଜା ସହିତ ଶ୍ରୀରାମଙ୍କ ସ୍ଵତନ୍ତ୍ର ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା।ପୂଜକ ବଳରାମ ରଥ ପୂଜାନୀତି ସମ୍ପନ୍ନ କରିଥିଲେ।ସେକ୍ଟର ୧ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅବସ୍ଥିତ ପ୍ରଭୁ ଶ୍ରୀରଘୁନାଥଙ୍କ ଜନ୍ମୋତ୍ସବ ଓ ହୋମ ଯଜ୍ଞ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି।ପୂଜକ ବିଜୟ କୁମାର ପଣ୍ଡା ପୂଜାକାର୍ଯ୍ୟ କରିଥିଲେ।ପୂଜକ ଅମିୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ।ପିଭିକେ ପଟ୍ଟନାୟକ ଓ ପତ୍ନୀ କାଞ୍ଚନ ପଟ୍ଟନାୟକ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମ୍ପାଦକ କୈଳାସ ସେନାପତି,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ଆର ଏନ ମୁଦୁଲି,ଖଦାଳ ନାୟକ ଓ ବିଜୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।