logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କାଳବୈଶାଖୀରେ ଉଡିଗଲା ଘରର ଟିଣ, ଦୁର୍ଦ୍ଦଶାରେ ଦିନମଜୁରିଆ ପରିବାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ଭୟଙ୍କର କାଳବୈଶାଖୀ ଝଡ଼ ଏକ ଗରିବ ପରିବାରର ଜୀବନକୁ ଅସ୍ଥିର କରିଦେଇଛି। ବ୍ଲକ ଅଧୀନସ୍ଥ ଏମ୍.ଭି-୯୦ ଗ୍ରାମର ବାସିନ୍ଦା ସୁରେନ୍ଦ୍ର ହରିଜନ (ପିତା-ସ୍ବର୍ଗତ ଲାଚନା ହରିଜନ)ଙ୍କ ଘରର ଟିଣ ଝଡ଼ର ତୀବ୍ର ପବନରେ ସମ୍ପୂର୍ଣ୍ଣ ଭାବେ ଉଡିଯାଇଛି।

ସ୍ଥାନୀୟ ସୂଚନା ଅନୁଯାୟୀ, ଝଡ଼ ସମୟରେ ସୁରେନ୍ଦ୍ର ହରିଜନ ତାଙ୍କ ପରିବାର ସହ ଘର ଭିତରେ ଥିଲେ। ତାଙ୍କର ଦୁଇ ଅପରିଣତ ପୁଅ—ସୁରଜ ହରିଜନ (୯ ବର୍ଷ) ଓ ଇମ୍ରାନ ହରିଜନ (୭ ବର୍ଷ)—ମଧ୍ୟ ସେଥିରେ ଉପସ୍ଥିତ ଥିଲେ। ହଠାତ୍ ବେଗବାନ ପବନରେ ଘରର ଟିଣ ସବୁ ଉଡି ଚାରିପାଖରେ ଛିଟିଯାଇଥିଲା। ଭାଗ୍ୟକ୍ରମେ ଏହି ଘଟଣାରେ କାହାର ଜୀବନହାନି କିମ୍ବା ଆହତ ହେବା ଘଟିନଥିବାରୁ ପରିବାର ଲୋକେ ଭଗବାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ତେବେ, ଏହି ଘଟଣା ପରେ ପରିବାରଟି ଗୁରୁତର ସମସ୍ୟାରେ ପଡ଼ିଛି। ଘରର ଛାତ ନଥିବାରୁ ସେମାନେ ବର୍ଷା ଓ ଧୂପରେ ରହିବାକୁ ବାଧ୍ୟ ହେବେ ବୋଲି ଆଶଙ୍କା ଜଣାପଡ଼ିଛି। ଏହା ସହିତ ସୁରେନ୍ଦ୍ର ହରିଜନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୟନୀୟ ଅବସ୍ଥାରେ ଅଛି।

ସୂଚନା ମୁତାବକ, ପ୍ରାୟ ଏକ ବର୍ଷ ପୂର୍ବରୁ ସୁରେନ୍ଦ୍ରଙ୍କ ବାଇକ ଦୁର୍ଘଟଣା ଘଟିଥିଲା, ଯାହାରେ ତାଙ୍କର ଗୋଡ଼ରେ ଗୁରୁତର ଚୋଟ ଲାଗିଥିଲା ଏବଂ ଗୋଡ଼ରେ ଏକ ରୋଡ଼ ଲାଗିଥିବା ଜଣାପଡିଛି ଯାହାଫଳରେ ସେ ଠିକ ଭାବରେ ଚାଲିପାରୁନାହାନ୍ତି ଏବଂ ଦିନମଜୁରିଆ କାମ କରିବା ମଧ୍ୟ ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ପରିବାର ଚଳାଇବାକୁ ଯେଉଁଠାରେ ସମସ୍ୟା ହେଉଛି, ସେଠାରେ ଘରର ନୂଆ ଟିଣ କିଣି ଲଗେଇବା ସେମାନଙ୍କ ପାଇଁ ଅସମ୍ଭବ ପ୍ରାୟ ହୋଇପଡ଼ିଛି।

ବର୍ତ୍ତମାନ ସୁରେନ୍ଦ୍ର ହରିଜନ ଓ ତାଙ୍କ ପରିବାର ଅତ୍ୟନ୍ତ ଦୁଃଖ ଓ ଚିନ୍ତାରେ ଦିନ କାଟୁଛନ୍ତି। ଏତେ ବଡ଼ କ୍ଷତି ପରେ ସେମାନେ କିପରି ଘର ମରାମତି କରିବେ ଓ କେଉଁଠୁ ଟଙ୍କା ଆଣିବେ—ସେଥି ନେଇ ଗଭୀର ଚିନ୍ତାରେ ଅଛନ୍ତି।

ଏହି ପରିସ୍ଥିତିରେ ଗ୍ରାମବାସୀମାନେ ମଧ୍ୟ ସୁରେନ୍ଦ୍ରଙ୍କ ପରିବାର ପାଇଁ ଚିନ୍ତା ପ୍ରକାଶ କରିଛନ୍ତି। ସେମାନେ ସ୍ଥାନୀୟ ପ୍ରଶାସନ, ସରକାର ଓ ସମାଜସେବୀ ସଂଗଠନମାନଙ୍କୁ ଏହି ଅସହାୟ ପରିବାରକୁ ତୁରନ୍ତ ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ପ୍ରାକୃତିକ ବିପଦରେ ପୀଡ଼ିତ ଏପରି ଦୁର୍ବଳ ପରିବାରମାନଙ୍କୁ ତୁରନ୍ତ ସରକାରୀ ସହାୟତା ମିଳିଲେ ସେମାନେ ପୁଣିଥରେ ସାଧାରଣ ଜୀବନକୁ ଫେରିପାରିବେ।

183
12611 views

Comment