କୁଣ୍ଡାପିଠା ରେ ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ଓ ବନ୍ଧୁ ସମ୍ମେଳନ
ଅପ୍ରେଲ ଦୁଇ ରେ କେନ୍ଦୁଝର ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ଓ ବନ୍ଧୁ ସମ୍ମେଳନ
କେନ୍ଦୁଝର,୨୩/୩ : ସ୍ଥାନୀୟ ଘଟଗାଁ ବ୍ଲକ ଅନ୍ତର୍ଗତ ବଡ଼ଜାମୁପଶି ଗ୍ରାମ ପଞ୍ଚାୟତର କୁଣ୍ଡପିଠା ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ ତରଫରୁ ଆସନ୍ତା ତା ୨୭.୩.୨୦୨୬ ରିଖ ଶୁକ୍ରବାର ଠାରୁ ତା ୨.୪.୨୦୨୬ ରିଖ ଗୁରୁବାର ପର୍ଯ୍ଯନ୍ତ ସାତଦିନ ବ୍ୟାପୀ ଭାଗବତ ପାରାୟଣ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି।
ପବିତ୍ର ରାମନବମୀର ପୂର୍ବଦିନ ତା ୨୬.୩.୨୦୨୬ ରିଖ ଗୁରୁବାର ଦିନ ଶୁଭ ଅଧିବାସ ଅବସରରେ କଳସ ଯାତ୍ରା କରାଯାଇ ଷୋଡ଼ଶ ଉପଚାରରେ ଯଥାବିଧି ପୂଜାର୍ଚ୍ଚନା ଆରମ୍ଭ ହେବ।ତା ୨୭.୩.୨୦୨୬ ରିଖ ଠାରୁ ପ୍ରତ୍ୟହ ପଞ୍ଚୋପଚାରରେ ପୂଜାର୍ଚ୍ଚନା କରାଯାଇ ଭାଗବତ ପଠନର ବିଧିମତେ କାର୍ଯ୍ୟକ୍ରମ ଚାଲିବ ଏବଂ ପ୍ରତ୍ୟହ ସନ୍ଧ୍ୟା ଆଳତି ପରେ ପରେ କେନ୍ଦୁଝର ଜିଲ୍ଲାର ଭାଗବତ ପ୍ରଚାର ପ୍ରସାର ସମିତିର ମନୋନୟନ କ୍ରମେ ବିଭିନ୍ନ ବ୍ଲକର ଭାଗବତ ପ୍ରବଚକ ବୃନ୍ଦ ଙ୍କ ଦ୍ବାରା ଭାଗବତର ବିଷୟବସ୍ତୁ ଉପରେ ଆଲୋଚନାଚକ୍ର ଜାରି ରହିବ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ସାତଦିନ ବ୍ୟାପୀ ଉପସ୍ଥିତ ରହିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଅନୁଷ୍ଠାନର ସଭାପତି ପଦ୍ମନାଭ ପଲେଇ ଓ ସଦସ୍ୟ ନକୁଳ ଚନ୍ଦ୍ର ପଲେଇ ସଂକଳ୍ପ କରିବାକୁ ଥିବା ବେଳେ ଘଟଗାଁ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟାପଡା ରୁ ଅଭିଜିତ ପଣ୍ଡା (ମଣ୍ଟୁ ନନା) ଓ ତାଙ୍କର ସାଥୀ ଏବଂ ଘଟଗାଁର କେଶବ ଚନ୍ଦ୍ର ଆଚାର୍ଯ୍ୟ ପୁରୋହିତ କର୍ମକାଣ୍ଡ କରିବାକୁ ଯାଉଛନ୍ତି। ଶେଷ ଦିବସରେ ଅର୍ଥାତ୍ ତା ୨.୪.୨୦୨୬ ରିଖ ଗୁରୁବାର ଦିନ କେନ୍ଦୁଝର ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ଓ ନିମନ୍ତ୍ରିତ ବନ୍ଧୁ ମାନଂକୁ ନେଇ ସମାବେଶରେ ଭାଗବତ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏହି ଆଲୋଚନାରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ, ମୁଖ୍ୟ ବକ୍ତା ରୂପେ କିଆପଦା ଯାଜପୁରର ଭାଗବତ ପ୍ରବଚକ ପଣ୍ଡିତ ଆଦିକନ୍ଦ ଦାସ, ସମ୍ମାନିତ ଅତିଥି ରୂପେ ଘଟଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ବର ବରାଳ, କେନ୍ଦୁଝର ଜିଲ୍ଲା ଯାଦବ ମହାସଭାର ସଭାପତି ପ୍ରଦୀପ କୁମାର ବାରିକ, ଘଟଗାଁ ବ୍ଲକ୍ ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଜୟଦେବ ପଣ୍ଡା, କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତିର ସଂପାଦକ ଜଗନ୍ନାଥ ଜେନା, ସମ୍ମାନିତ ବକ୍ତା ଭାବେ ତାରିଣୀ ଠାକୁରାଣୀ ମହାବିଦ୍ୟାଳୟ ଘଟଗାଁର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ରଞ୍ଜନ କୁମାର ପଣ୍ଡା ଯୋଗଦେବାକୁ ସମ୍ମତି ଜଣାଇଥିବା ବେଳେ ପୌରୋହିତ୍ୟ କରିବେ ଅନୁଷ୍ଠାନର ସଭାପତି ପଦ୍ମନାଭ ପଲେଇ। ଭଗବତ୍ ବିଭୁତି ସମ୍ପନ୍ନ ବିଶିଷ୍ଟ ସଜ୍ଜନ ମାନଙ୍କ ଅତି ଦୁର୍ଲ୍ଲଭ ସମାଗମରେ ସାତଦିନ ବ୍ୟାପୀ ଅପୂର୍ବ ରସମୟୀ ଶ୍ରୀମଦ୍ ଭାଗବତ ପଠନ ଓ ଶ୍ରବଣ କାର୍ଯ୍ୟକ୍ରମରେ ଆପଣମାନଙ୍କ ପରି ଭାଗବତ ରସର ରସିକ ମାନେ ବହୁ ସଂଖ୍ୟାରେ ସଶ୍ରଦ୍ଧ ଉପସ୍ଥିତ ହୋଇ ଭାଗବତ ରସାମୃତ ଆସ୍ବାଦନ କରିବା ପାଇଁ କୁଣ୍ଡାପିଠା ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ ଭକ୍ତ ତଥା ଗ୍ରାମବାସୀମାନେ ଦୃଢ ଆଶା କରିଛନ୍ତି। ଯଦି ଆପଣମାନଙ୍କ ବିଶେଷ ଅବକାଶ ନଥାଏ ତେବେ ଉଦଯାପନ ଦିବସ ଅର୍ଥାତ୍ ତା ୨.୪.୨୦୨୬ ରିଖ ଗୁରୁବାର ଦିନ ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ସମାବେଶରେ ଯୋଗଦାନ କରି ଭାଗବତ ଭଗବାନଙ୍କ କୃପା ଲାଭ କରିବା ପାଇଁ ଟୁଙ୍ଗୀ ତରଫରୁ ଆପଣମାନଙ୍କୁ ଆମନ୍ତ୍ରଣ କରୁଅଛୁ । କାରଣ ଏଠାରେ ଗୋଟିଏ କ୍ଷଣ ମଧ୍ୟ ଦୁର୍ଲ୍ଲଭ ଅଟେ।
ନବାକାଶଃ କଦାଚିତ୍ ଚେତ୍ ଦିନମାତ୍ରଂ ତଥାପି ତୁ।
ସର୍ବଥାଽଽଗମନଂ କାର୍ଯ୍ଯଂ କ୍ଷଣୋଽତୈବ ସୁଦୁର୍ଲ୍ଲଭଃ ।।
( ଶ୍ରୀମଦ୍ଭାଗବତ ମାହାତ୍ମ୍ୟ )
ରିପୋର୍ଟ : କୁଣ୍ଡାପିଠା ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ ଭକ୍ତ ଓ ଗ୍ରାମବାସୀ ବୃନ୍ଦ
ସୌଜନ୍ଯ: ବାବୁଲାଲ ପଲେଇ,ଆଇମା ମିଡିଆ
ମୋବାଇଲ୍ : ୯୪୩୭୧୫୨୯୩୬