ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ହତ୍ୟା:
ବାଲେଶ୍ୱରରେ ମା’ ଓ ପୁଅ ଗିରଫ ପ୍ରେମ, ପ୍ରତାରଣା ଏବଂ ଶେଷରେ ହତ୍ୟା। ଶାରୀରିକ ସମ୍ପର୍କ ରଖିବାକୁ ରାଜି ନହେବାରୁ ଜଣେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲ୍ଲା ରୂପସା ଥାନା ଅଧୀନ ଲଛମନଖୁଣ୍ଟା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ସହ ପୋଲିସ ଅଭିଯୁକ୍ତ ପ୍ରେମିକ ଓ ତାଙ୍କ ମା’ଙ୍କୁ ଗିରଫ କରିଛି।ବାଉଁଶବଣି ଗ୍ରାମର ଯମୁନା ସିଂ (୨୭)। ସେ ବିବାହ ବିଚ୍ଛେଦ ପରେ ବାପଘରେ ରହୁଥିଲେ। ସେହି ଗ୍ରାମର ବିବାହିତ ବୁଦ୍ଧିଆ ସିଂଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବୁଦ୍ଧିଆ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଗତ ୧୭ ତାରିଖରେ ଯମୁନା ବୁଦ୍ଧିଆଙ୍କ ଘରକୁ ଯାଇ ବିବାହ ପାଇଁ ଜିଦ୍ ଧରିଥିଲେ। ମାତ୍ର ବୁଦ୍ଧିଆ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଯମୁନା ଏଥିରେ ଅରାଜି ହେବାରୁ ଉଭୟଙ୍କ ମଧ୍ୟରେ କଳହ ହୋଇଥିଲା। ଉତ୍ତ୍ୟକ୍ତ ହୋଇ ବୁଦ୍ଧିଆ ଏବଂ ତାଙ୍କ ମା’ କୋଇଲି ସିଂ (୬୫) ମିଶି ଯମୁନାଙ୍କୁ ଏକ ଆପ୍ରୋନ୍ ସାହାଯ୍ୟରେ ତଣ୍ଟି ଚିପି ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ।ରୂପସା ଥାନା ଆଇଆଇସି ସୌମ୍ୟଚିତ୍ ମିଶ୍ର ଓ ଏଏସଆଇ ବିକାଶ ସେଠୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ନିକଟରେ ଅଭିଯୁକ୍ତମାନେ ନିଜର ଦୋଷ ସ୍ୱୀକାର କରିବା ପରେ, ମାମଲା (ନଂ. ୫୦/୨୬) ରୁଜୁ କରାଯାଇ ଶୁକ୍ରବାର ଦିନ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।