*କାୟାକଳ୍ପ ପୁରସ୍କାରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଜିମାତ୍: ରାଜ୍ୟରେ ପୁଣିଥରେ ପ୍ରଥମ ସ୍ଥାନ ଅଧିକାର*
*କାୟାକଳ୍ପ ପୁରସ୍କାରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାଜିମାତ୍: ରାଜ୍ୟରେ ପୁଣିଥରେ ପ୍ରଥମ ସ୍ଥାନ ଅଧିକାର*
*ମାଲକାନଗିରି,୨୦/୦୩/୨୦୨୬:*
ମାଲକାନଗିରି ଜିଲ୍ଲା ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ‘କାୟାକଳ୍ପ’ ପୁରସ୍କାର ମାନଦଣ୍ଡରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି।
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏହି ଯୋଗ୍ୟତା ଅର୍ଜନ କରିବାରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ହସ୍ପିଟାଲଟି ଏପର୍ଯ୍ୟନ୍ତ ମୋଟ ୬ ଥର ଏହି ଯୋଗ୍ୟତା ପାଇଥିବା ବେଳେ ୫ ଥର (୨୦୨୦-୨୧, ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ ଏବଂ ୨୦୨୫-୨୬) ରାଜ୍ୟ ସ୍ତରରେ ଶୀର୍ଷ ସ୍ଥାନ ବଜାୟ ରଖିଛି। କେବଳ ୨୦୨୪-୨୫ ବର୍ଷରେ ଏହା ଦ୍ୱିତୀୟ ସ୍ଥାନରେ ରହିଥିଲା । ଡାକ୍ତରଖାନାର ସ୍ୱଚ୍ଛତା, ଉନ୍ନତ ପରିମଳ ବ୍ୟବସ୍ଥା, ଅତ୍ୟାଧୁନିକ ଚିକିତ୍ସା ସୁବିଧା, ବର୍ଜ୍ୟବସ୍ତୁ ପରିଚାଳନା, ଦସ୍ତାବିଜ ସଂରକ୍ଷଣ ଏବଂ ସଂକ୍ରମଣ ନିୟନ୍ତ୍ରଣ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।
କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୁହେଁ, ଚଳିତ ବର୍ଷ ଜିଲ୍ଲାର ୨୧ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ଏବଂ ୬୭ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ କାୟାକଳ୍ପ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହା ସହିତ ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନା କାୟାକଳ୍ପ ଏବଂ ଇକୋ ଫ୍ରେଣ୍ଡଲି ବର୍ଗରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାର ସୁନାମ ବୃଦ୍ଧି କରିଛି। ଏହି ବିରାଟ ସଫଳତା ଖୁସିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ମଚାରୀ କେକ୍ କାଟି ଓ ବାଣ ଫୁଟାଇ ଖୁସି ମନାଇଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଡୋଳାମଣି ପ୍ରଧାନ, ଏଡିଏମଓ ଡା. ସୌଭାଗ୍ୟ ରଞ୍ଜନ ରଣସିଂହ, ଡା. ନୀଳମଣି ତିଲକଚାନ୍ଦ ବେହେରା, ଶଲ୍ୟ ବିଶେଷଜ୍ଞ ଡା. ସପନ କୁମାର ଡିଣ୍ଡା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଡା. ମୌସୁମୀ ମିଶ୍ରଙ୍କ ସମେତ ସମସ୍ତ ଡାକ୍ତର, ନର୍ସ, ସହାୟକ ଓ ଜନସାଧାରଣ ଉପସ୍ଥିତ ଥିଲେ।