*ମାଲକାନଗିରିରେ ତିନି ଦିନିଆ ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬ ଶୁଭାରମ୍ଭ*
*ମାଲକାନଗିରି, ୧୮/୩/୨୬:*
ମାଲକାନଗିରି ଜିଲ୍ଲାର କୁନି କ୍ରୀଡ଼ାବିତ୍ମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଜିଲ୍ଲା କ୍ରୀଡ଼ା ଵିଭାଗ ପକ୍ଷରୁ ୧୪ ବର୍ଷରୁ କମ୍ ବୟସ୍କ ବାଳକ ଓ ବାଳିକାମାନଙ୍କ ପାଇଁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬ ଆରମ୍ଭ ହୋଇଛି। ଆଜିଠାରୁ ଜିଲ୍ଲାର ତିନୋଟି ପ୍ରମୁଖ ସ୍ଥାନରେ ଏହି ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଖେଳାଳିମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଗୋବିନ୍ଦପାଲ୍ଲୀ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ (ମାଥିଲି ଓ ଖଇରପୁଟ ବ୍ଲକ ପାଇଁ), ମାଲକାନଗିରି ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସ (ମାଲକାନଗିରି, କୋରୁକୋଣ୍ଡା, କାଲିମେଳା ଓ ପୋଡ଼ିଆ ବ୍ଲକ ପାଇଁ) ଠାରେ ଶିବିର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମୋଟ ୫୮୯ ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି। ଆଜି ପ୍ରଥମ ଦିନରେ ୮ ଜଣ ନୂତନ ପ୍ରତିଭା ସିଧାସଳଖ ପଞ୍ଜିକରଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ।ପ୍ରଥମ ଦିନ ଅର୍ଥାତ୍ ୧୮ ମାର୍ଚ୍ଚ ରେ ଆଥଲେଟିକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୨୩୧ ଜଣ ଖେଳାଳି ସାମିଲ ହୋଇଥିଲେ ।ଆସନ୍ତା ୨୨ ମାର୍ଚ୍ଚ ରେ ଖୋ-ଖୋ ପ୍ରତିଯୋଗିତା ପାଇଁ ୨୮୪ ଜଣ ଖେଳାଳି ପଞ୍ଜିକୃତ ହୋଇଛନ୍ତି । ଆସନ୍ତା ୨୫ ମାର୍ଚ୍ଚ ରେ ଭଲିବଲ୍ ଚୟନ ପ୍ରକ୍ରିୟାରେ ୭୪ ଜଣ ଖେଳାଳି ଭାଗ ନେବେ।ଜିଲ୍ଲାର ଏହି କୁନି ପ୍ରତିଭାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ଆଗାମୀ ଦିନରେ ସେମାନଙ୍କୁ ରାଜ୍ୟ ଓ ଜାତୀୟ ସ୍ତର ପାଇଁ ପ୍ରସ୍ତୁତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନା ତୁରୁକ୍ ସୂଚନା ଦେଇଛନ୍ତି। ଏହାକୁ ଆୟୋଜନ କରିବାରେ କ୍ରୀଡ଼ା ଵିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।