ବାଲି ବୋଝେଇ ହାଇୱାରେ ପାଲ ଢାଙ୍କିବା ସାଜିଲା କାଳ
-୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ନାବାଳକ ଗୁରୁତର।
ହାଟଡିହି,(୧୨/୦୩)
କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅନ୍ତର୍ଗତ ହାବଳେଶ୍ୱର ହାଇସ୍କୁଲ୍ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ବାଲି ବୋଝେଇ ହାଇୱା ଟ୍ରକରେ ପାଲ ଢାଙ୍କୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନବମ ଶ୍ରେଣୀର ଛାତ୍ର ଗୁରୁତ୍ତର ଆହତ ହୋଇଛନ୍ତି। ଆହତ ନାବାଳକ ଜଣଙ୍କ ଶାଳଣିଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏଲକଣିଆଁ ଗ୍ରାମର ସଦାନନ୍ଦ ସାହୁଙ୍କ ପୁଅ ସୌମ୍ୟଜିତ ସାହୁ (୧୪) ବୋଲି ଜଣାପଡ଼ିଛି | ଏହି ଅଭାବନୀୟ ଘଟଣା ଗୁରବାର ଭୋର ୩:୦୦ ରୁ ୪:୦୦ ସମୟରେ ଘଟିଥିବା ଜଣାପଡିଛି | ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକ ଓ ହାଇୱା ମାଲିକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସୌମ୍ୟଜିତଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ । ସେଠାରେ ଅବସ୍ଥା ଅଧିକ ଗମ୍ଭୀର ହେବାରୁ ପରେ ଉନ୍ନତ ଚିକିତ୍ସା ପାଇଁ କଟକର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ନାବାଳକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ପରିବାର ସଦସ୍ୟ ସୂଚନା ଦେଇଛନ୍ତି | ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟରେ ଲଗାଇଥିବା ହାଇୱା ମାଲିକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି |
ସୂଚନା ଅନୁଯାଇ ହାଟଡିହି ତହସିଲ ଅଧିନ ବୈତରଣୀ ନଦୀର ବିଭିନ୍ନ ଘାଟରୁ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବା ବେଳେ ସବୁ ଜାଣିଶୁଣି ଖଣି ବିଭାଗ, ପୁଲିସ ଓ ଜିଲ୍ଲା ପ୍ରଶାସନ ଏହି ବେଆଇନ କାର୍ଯ୍ୟକୁ ପ୍ରଶୟ ଦେଉଛନ୍ତି | ଗତ ଜାନୁୟାରୀ ମାସ ୨୫ ତାରିଖରେ ଏହି ପଞ୍ଚାୟତ ଅଧିନ ବିଷ୍ଣୁପୁର ଗ୍ରାମର ଆନନ୍ଦ ଜେନାଙ୍କ ଉପରେ ବାଲି ଆଣିବାକୁ ଯାଉଥିବା ହାଇୱା ମାଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା | ସ୍ଥାନୀୟ ଜନସାଧାରଣ ବେଆଇନ ବାଲି ପରିବହନକୁ ବିରୋଧ କରି ଶବ ରଖି ରାସ୍ତାରୋକ କରିଥିଲେ | ପରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉକ୍ତ ରାସ୍ତା ଦେଇ ଭାରୀଯାନ ଚଳାଚଳ ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଥିଲା | କିନ୍ତୁ, କିଛି ଦିନ ପରେ ବାଲିମାଫିଆଙ୍କ ମାନେ ପୁନର୍ବାର ଏହି ରାସ୍ତା ଦେଇ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ଭାରୀଯାନ ଚଳା ଚଳ କରୁଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି | ବାଲିମାଫିଆଙ୍କ ଚାପରେ ସ୍ଥାନୀୟ ପୁଲିସ, ଖଣି ବିଭାଗ ଓ ପ୍ରଶାସନ ପୁନର୍ବାର ଏହି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି |