ଚୈତ୍ର ପ୍ରଥମ ମଙ୍ଗଳବାର:ମା'କଣ୍ଟାବାଉଁଶୁଣୀଙ୍କ ପୀଠରେ ଭିଡ଼
ଦାମନଯୋଡ଼ି,୧୦/୦୩:ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଅବସରରେ ଦାମନଯୋଡ଼ିର ଆରାଧ୍ୟା ଦେବୀ ମା'କଣ୍ଟାବାଉଁଶୁଣୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ଶ୍ରଦ୍ଧାଳୁ ମା'ଙ୍କୁ ପୂଜାର୍ଚ୍ଚନା କରିବା ସହିତ ପଣା ଓ ମାଟି ଘୋଡ଼ା ଅର୍ପଣ କରିଥିଲେ।ଶ୍ରଦ୍ଧାଳୁ ମାନେ ମା'ମଙ୍ଗଳାଙ୍କ ମନ୍ଦିର,ମା'ତାରିଣୀଙ୍କ ମନ୍ଦିର ଓ ଅନ୍ୟ ଦେବୀ ମନ୍ଦିର ମାନଙ୍କରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ।
ବିଭିନ୍ନ ସ୍ଥାନରେ ମହିଳା ମାନେ ମା'ବାଟ ମଙ୍ଗଳାଙ୍କ ପୁଜା କରୁଥିବା ଦେଖାଯାଇଥିଲା।ଚୈତ୍ର ମଙ୍ଗଳା ଓଷା ପାଳନ କଲେ ମାଆ ମଙ୍ଗଳାଙ୍କ କୃପା ମିଳିବା ସହିତ ମହିଳାମାନେ ସ୍ବାମୀ ସୁହାଗିନି ହୋଇଥାନ୍ତି ବୋଲି ପୁରାଣ ବର୍ଣ୍ଣନା ଅଛି।ଏହି ଓଷାଟି ବାଟରେ କରାଯାଉଥିବାରୁ ଏହାକୁ ବାଟମଙ୍ଗଳା ଓଷା ବା ପନ୍ଥେଇ ପୂଜା ବୋଲି ମଧ୍ୟ କୁହାଯାଏ।ସ୍ୱାମୀ ଓ ସନ୍ତାନ ମାନଙ୍କ ମଙ୍ଗଳ କାମନା କରି ସଧବା ସ୍ତ୍ରୀମାନେ ଚୈତ୍ର ମଙ୍ଗଳବାର ଓଷା ରଖିଥାନ୍ତି।ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଏହା ଉଦ୍ଯାପିତ ହୋଇଥାଏ।ଗାଁ ଦାଣ୍ଡରେ ପନ୍ଥେଇ ଖୋଳା ଯିବା ପରେ ଗୋବର ପାଣିରେ ଲିପା ଯାଇଥାଏ।ହଳଦୀ, ଚୁଆ, କ୍ଷୀର, ପାଣି ଆଦି ଢାଳି ଏହାର ଚତୁଃପାର୍ଶ୍ୱରେ ଆମ୍ବଡାଳ,ଆମ୍ବକଷି,ଗୁଆ ରଖାଯିବା ସହ ସିନ୍ଦୂର ଓ ମୁରୁଜ ପକାଯାଇ ଫୁଲରେ ସଜ୍ଜା ଯାଏ।ବିଶେଷକରି ଲାଲ ମନ୍ଦାର ମା’ଙ୍କର ବେଶ୍ ପ୍ରିୟ।ବିଭିନ୍ନ ପ୍ରକାର ଫଳ,କ୍ଷୀର,ଦହି,ଛେନା ଆଦି ମିଶାଇ ଏକ ପଣା ଭୋଗ ଲାଗି କରାଯାଏ।ଏହି ସମୟରେ ଓଷା କଥା ବୋଲାଯାଇଥାଏ।