logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହରିଚନ୍ଦନପୁରରେ ଧାନ କ୍ରୟରେ ଅସ୍ପଷ୍ଟତା: ୪ ମଣ୍ଡିରେ ୧୨ଶହ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନାହାନ୍ତି

ହରିଚନ୍ଦନପୁର,
ଖରିଫ ଋତୁର ଧାନ ସଂଗ୍ରହ ପାଇଁ ହରିଚନ୍ଦନପୁର ବ୍ଲକ୍‌ରେ ମୋଟ ୭ଟି ମଣ୍ଡି ଖୋଲାଯାଇଥିଲେ ମଧ୍ୟ ଧାନ କ୍ରୟ ପ୍ରକ୍ରିୟାରେ ଅନେକ ଅସ୍ପଷ୍ଟତା ଦେଖାଦେଇଛି। ବିଶେଷକରି ୪ଟି ମଣ୍ଡିରେ ପ୍ରାୟ ୧୨ଶହ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନାହାନ୍ତି, ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
ହରିଚନ୍ଦନପୁର ଲ୍ୟାମ୍ପ୍ସରେ ୧୪୭୨ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ୧୦୪୨ଜଣ ଚାଷୀଙ୍କଠାରୁ ୪୦ହଜାର ୮୫୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଅବଶିଷ୍ଟ ୪୩୦ଜଣ ଚାଷୀଙ୍କଠାରୁ ପ୍ରାୟ ୧୧ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଥିବାବେଳେ ଏହା ପାଇଁ କେବଳ ୨୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ୍ ଥିବା ଜଣାପଡ଼ିଛି। ଏପରି ସ୍ଥିତିରେ ସମସ୍ତ ଚାଷୀଙ୍କ ଧାନ କିପରି କିଣାଯିବ, ତାହାକୁ ନେଇ ପ୍ରଶ୍ନ ଉଠିଛି।
ଏପଟେ ଧାନ ବିକ୍ରି କରିପାରିନଥିବା ଚାଷୀମାନେ ବାରମ୍ବାର ଲ୍ୟାମ୍ପ୍ସ କାର୍ଯ୍ୟାଳୟକୁ ଦୌଡ଼ୁଥିବା ବେଳେ, ଧାନ କ୍ରୟ ଅବଧି ସମାପ୍ତି ପାଇଁ ମାତ୍ର ୨୦ ଦିନ ବାକି ରହିଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବଡ଼ପଳାଶପାଳ ମଣ୍ଡିରେ ଧାନ ବିକ୍ରି ପାଇଁ ୭୭୯ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ସେଠାରୁ ଏପର୍ଯ୍ୟନ୍ତ ୪୮୪ଜଣ ଚାଷୀଙ୍କଠାରୁ ୨୦ହଜାର ୮୭୫ କୁଇଣ୍ଟାଲ ଧାନ କିଣାଯାଇଛି। ଆହୁରି ୨୯୫ଜଣ ଚାଷୀ ପ୍ରାୟ ୭ହଜାର କୁଇଣ୍ଟାଲ ଧାନ ବିକ୍ରି ପାଇଁ ଅପେକ୍ଷାରେ ଅଛନ୍ତି।
ସେହିପରି ରେବଣାପଳାଶପାଳ ମଣ୍ଡିରେ ୬୬୮ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୫୫୦ଜଣ ଚାଷୀଙ୍କଠାରୁ ୧୮ହଜାର ୫୨୦ କୁଇଣ୍ଟାଲ ଧାନ କ୍ରୟ ହୋଇଛି। ତଥାପି ୧୧୮ଜଣ ଚାଷୀ ପ୍ରାୟ ୨ହଜାର କୁଇଣ୍ଟାଲ ଧାନ ବିକ୍ରି କରିପାରିନାହାନ୍ତି।
ଭଗାମୁଣ୍ଡା ମଣ୍ଡିରେ ୮୧୬ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୪୬୭ଜଣ ଚାଷୀଙ୍କଠାରୁ ୧୨ହଜାର ୮୮୦ କୁଇଣ୍ଟାଲ ଧାନ କ୍ରୟ ହୋଇଛି। ଏଠାରେ ଆହୁରି ୩୪୯ଜଣ ଚାଷୀ ପ୍ରାୟ ୬୭୦୦ କୁଇଣ୍ଟାଲ ଧାନ ବିକ୍ରି କରିପାରିନାହାନ୍ତି।
ଏହି ୪ଟି ମଣ୍ଡିରେ ମୋଟ ୧୨ଶହ ଚାଷୀଙ୍କଠାରୁ ପ୍ରାୟ ୨୭ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଥିବା ବେଳେ ମାତ୍ର ୧୨ହଜାର କୁଇଣ୍ଟାଲର ଟାର୍ଗେଟ୍ ରହିଛି। ଏହା ଚାଷୀମାନଙ୍କ ମଧ୍ୟରେ ଆଶଙ୍କା ବୃଦ୍ଧି କରିଛି।
ଏ ସମ୍ପର୍କରେ ସିଏସଓ ପବିତ୍ର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମସ୍ତ ଚାଷୀଙ୍କଠାରୁ ଧାନ କିଣିବା ଦାୟିତ୍ୱ ଲ୍ୟାମ୍ପ୍ସର ଓ ସେମାନେ ଚାଷୀଙ୍କୁ ବୁଝାସୁଝା କରି ଧାନ କ୍ରୟ ପ୍ରକ୍ରିୟା ସମାପ୍ତ କରିବେ।

0
0 views

Comment